‘ଆୟୁଷ୍ମାନ’ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଲାଗୁ ନେଇ ବିତର୍କ ଆରମ୍ଭ ।

115

କନକ ବ୍ୟୁରୋ: ଆୟୁଷ୍ମାନ ଯୋଜନାରେ ସାମିଲ ହେବ କି ଓଡ଼ିଶା? କ’ଣ ସ୍ୱାସ୍ଥ୍ୟ ସେବା ଜରିଆରେ ନୂଆ ସମ୍ପର୍କ ଯୋଡ଼ି ହେବ କି? ଏଭଳି ପ୍ରଶ୍ନ ଉଠିଥିବାବେଳେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ମନ୍ତ୍ରୀ କହିଛନ୍ତି, ଯଦି ଏହି ଯୋଜନା ଭଲ ହୋଇଥିବ ତେବେ ତାହାକୁ ସ୍ୱାଗତ କରାଯିବ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି , ଏନେଇ କେନ୍ଦ୍ରକୁ ପ୍ରପୋଜାଲ ମଗାଯାଇଛି । କେନ୍ଦ୍ର ପ୍ରସ୍ତାବ ଦେବା ପରେ ଏନେଇ ଅନୁଧ୍ୟାନ କରାଯିବ ।

ଆୟୁଷ୍ମାନ ଭାରତ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଆରମ୍ଭ ହୋଇଯାଇଛି ବିତର୍କ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ ଚିଠି ଲେଖିସାରିଛନ୍ତି । ଏଥିସହ ଏହି ପ୍ରସଙ୍ଗରେ ନବୀନଙ୍କ ସହିତ ଫୋନରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଭାରତର ସବୁଠୁ ଭଲ ଯୋଜନା । ଆମେ ଆଗରୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଭଲ ବୋଲି କହିଥିଲୁ ।ଆୟୁଷ୍ମାନ ଯୋଜନା ନେଇ କେନ୍ଦ୍ରକୁ ପ୍ରପୋଜାଲ୍ ମଗାଯାଇଛି । ସେମାନେ ପ୍ରସ୍ତାବ ଦେବାପରେ ରାଜ୍ୟ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ନିର୍ବାଚନ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ରାଜ୍ୟ ସରକାର ପୂର୍ବରୁ ବାରମ୍ବାର ଆଗ୍ରହ୍ୟ କରିଥିଲେ । ଆଉ ବର୍ତମାନ ସ୍ଥିତିରେ ଆୟୁଷ୍ମାନ ଯୋଜନକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତନ ଆସିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ।

ବିରୋଧୀ କଂଗ୍ରେସ ଏହାକୁ ରାଜନୀତିର ରଙ୍ଗ ଦେଇଛି । କେନ୍ଦ୍ରର ଏହି ଯୋଜନାକୁ ମନା କରିବା ପଛରେ ରାଜନୀତି ରହିଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ ଗୋଟିଏ କଥା ଏବଂ ପରେ ଆଉ ଗୋଟେ କଥା । ପାଣ୍ଠି ଅଭାବରୁ ଏବେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ଆପଣାଉଛନ୍ତି ବୋଲି ଯୁକ୍ତି ବାଢିଛି କଂଗ୍ରେସ ।

ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଚିଠି ଲେଖିଥିଲେ । ଦୁଇଦିନ ତଳେ ସଚିବାଳୟରେ ଏନେଇ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଆୟୁଷ୍ମାନ ଭାରତ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଏହା ସକରାତ୍ମକ ହୋଇଥିବା କହିଥିଲେ ଆୟୁଷ୍ମାନ ସିଇଓ ଇନ୍ଦୁ ଭୁଷଣ । ଏବେ ଅପେକ୍ଷା ରହିଛି, କେନ୍ଦ୍ର ସରକାରଙ୍କ ପ୍ରପୋଜାଲକୁ ।