ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ : ବିଜେପି ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ହୋଇପାରେ କଡା ଟକ୍କର

112

କନକ ବ୍ୟୁରୋ : ଆଜି ଓଡ଼ିଶାର ଧାମନଗର ସମେତ ୬ ଟି ରାଜ୍ୟର ୭ ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଚାଲିଛି । ଏହି ୬ଟି ରାଜ୍ୟରେ ବିଜେପି ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ଟି ଆସନର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଉପନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଇଛି । ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଓଡ଼ିଶା ଏବଂ ହରିଆଣାରେ ୭ ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେବ ।

ମହାରାଷ୍ଟ୍ର ଏବଂ ବିହାରରେ କ୍ଷମତା ବଦଳିବା ପରେ ଏହି ଦୁଇ ରାଜ୍ୟରେ ପ୍ରଥମ ଥର ପାଇଁ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମହାରାଷ୍ଟ୍ରର ଅନେ୍ଧରୀ ପୂର୍ବ ଆସନ, ବିହାରର ମୋକମା ଏବଂ ଗୋପାଳଗଞ୍ଜ, ହରିଆଣାର ଆଦମପୁର ଆସନ ସହ ଉତରପ୍ରଦେଶର ଗୋଲା ଗୋକରନାଥ, ତେଲେଙ୍ଗାନାର ମୁନୁଗୋଡା ଏବଂ ଓଡ଼ିଶାର ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ହେବ । ତେବେ ଆସନ୍ତା ନଭେମ୍ବର ୬ ତାରିଖରେ ଏହି ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇବ । ଏହି ସବୁ ଆସନର କିଏ ଜିତୁୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମସ୍ତ ଆସନରେ କଡା ସୁରକ୍ଷାବଳୟ ଭିତରେ ଭୋଟ ଗ୍ରହଣର ବ୍ୟବସ୍ଥା କରାଯାଇଛି ।