ଭୋଟ ଦେଉଛି ଧାମନଗର : ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ ହଜାର ଭୋଟର୍‌

72

କନକ ବ୍ୟୁରୋ : ଆଜି ବହୁ ପ୍ରତିକ୍ଷୀତ ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ ୭ ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ ପାରିବେ । ମୋଟ ମୋଟ ୨୫୨ଟି କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

ସେଥିମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯିବ । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା କରିପାରିବେ ନାହିଁ । ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି । ଏଥିପାଇଁ ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଏଥିସହ ଚେକିଂକୁ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ପାଇଁ ତିିନି ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେବାକୁ ସବୁ ବଳ ଲଗାଇ ଦେଇଥିବାରୁ କିଏ ଜିତିବ କିଏ ହାରିବ କହିବା ମୁସ୍କିଲ ହୋଇପଡିଛି ।

କିନ୍ତୁ ଏହା ଭିତରେ ଭୋଟ ପଡିବା ପୂର୍ବରୁ ରାଜନୈତିକ ଦଳର ନେତାମାନେ ଆରମ୍ଭ କରି ଦେଇଛନ୍ତିି ଆଗୁଆ ଅଙ୍କକଷା । ବିଜେଡି ନେତା ଅମର ଶତପଥୀ କହିଛନ୍ତି ବିଜେଡିର ବିପୁଳ ପରିମାଣରେ ବିଜୟୀ ହେବ । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଲୋକେ ମନ ସ୍ଥିର କରି ସାରିଛନ୍ତି ପୁଣି ଥରେ ବିକାଶ ଧାରାରେ ସାମିଲ ହେବା ପାଇଁ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଯଦି ବିଜେଡି ଓ ବିଜେପି ଟଙ୍କା ନ ବାଣ୍ଟିବେ ତାହେଲେ ଜିତିବ କଂଗ୍ରେସ । ତେବେ ଆସନ୍ତା ନଭେମ୍ବର ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ ।