ବ୍ରିଜ ବନାମ ବ୍ୟାରେଜ ରାଜନୀତି । ବିଜେଡିର ବ୍ରାହ୍ମଣୀ ସେତୁକୁ ବିଜେପିର କୋଏଲ ବ୍ୟାରେଜ ।

33

କନକ ବ୍ୟୁରୋ : ବ୍ରିଜ ବନାମ ବ୍ୟାରେଜ ରାଜନୀତି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାମ ବନାମ କୋଏଲ ନଦୀରେ ବ୍ୟାରେଜ ନିର୍ମାଣ କାମ । ବର୍ତମାନ ରାଉରକେଲା ରାଜନୀତିରେ ଏହା ଦୁଇଟି ମୁଖ୍ୟ ପ୍ରସଙ୍ଗ ହୋଇ ସାମ୍ନାକୁ ଆସିଛି । ଶାସକ ଦଳର ସେତୁ ଅସ୍ତ୍ରକୁ ବିରୋଧୀଙ୍କ କାଉଂଟର ଆଟାକ୍ କୁଆଡେ ଗଲା କୋଏଲ ବ୍ୟାରେଜ ।

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ । କେନ୍ଦ୍ରର ବିଳମ୍ବିତ ନିର୍ମାଣ କାମକୁ ନେଇ ବିଜେଡିର ବିକ୍ଷୋଭ ଓ କେନ୍ଦ୍ର ନକଲେ ରାଜ୍ୟ ନିଜସ୍ୱ ପାଣ୍ଠିରୁ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା, ସେତୁ ବିବାଦକୁ ଆହୁରି ଗୋଳମାଳିଆ କରିଦେଇଛି । ନବୀନଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି ।

ବିଜେଡି ବ୍ରାହ୍ମଣୀ ସେତୁକୁ ପ୍ରସଙ୍ଗ କରିଥିବା ବେଳେ କୋଏଲ ବ୍ୟାରେଜକୁ ଅସ୍ତ୍ର କରି ବିଜେଡି ଉପରେ ଶକ୍ତ ପ୍ରହାର କରିଛି ବିଜେପି । କୋଏଲ ବ୍ୟାରେଜ ପ୍ରସଙ୍ଗରେ ବିଧାନସଭାରେ ରାଉରକେଲା ବିଧାୟକଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଉତର ଓ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ବିବୃତି ଝଡ ସୃଷ୍ଟି କରିଛି । ବ୍ରାହ୍ମଣୀ ଦ୍ୱିତୀୟ ସେତୁ ବନାମ କୋଏଲ ବ୍ୟାରେଜ ରାଜନୀତି ଯୋର ଧରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସାରଦା ନାୟକ କହିଛନ୍ତି ନବୀନ କାମରେ ବିଶ୍ୱାସ କରନ୍ତି, ବିଜେପି ଭଳି ମିଛୁଆ ନୁହଁନ୍ତି ।

କୋଏଲ ବ୍ୟାରେଜ ନେଇ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ବିବୃତିକୁ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ରାଉରକେଲାବାସୀଙ୍କୁ ଭୂଆ ବୁଲାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ରାଉରକେଲାର ପାଇଁ ଦେଇଥିବା ପ୍ରତିଶ୍ରୁତି ଓ ଶିଳାନ୍ୟାସ ପୂରଣ କରନ୍ତୁ ବୋଲି ବିଜେପି କହୁଥିବା ବେଳେ ଅବହେଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।