ଦୁନିଆକୁ ଅଲବିଦା କହିଲେ ଫୁଟବଲ ବାଦଶାହ । ୮୨ବର୍ଷ ବୟସରେ ପେଲେଙ୍କ ପରଲୋକ

101

କନକ ବ୍ୟୁରୋ : ସେ ଥିଲେ ଫୁଟବଲ ଦୁନିଆର ଜଣେ କିମ୍ବଦନ୍ତୀ ଖେଳାଳୀ । ମଇଦାନକୁ ଯେବେ ଓହ୍ଲାଉଥିଲେ ଯାଦୁଗର ପରି ଖେଳୁଥିଲେ । ତାଙ୍କ ମ୍ୟାଚ୍ ଦେଖିବାକୁ ମୌକା ମିଳିବା କୌଣସି ସ୍ୱପ୍ନଠୁ କମ୍ ନଥିଲା । ସିଏ ହେଉଛନ୍ତି ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳୀ ପେଲେ । ଯିଏକି କେବଳ ବ୍ରାଜିଲର ନୁହେଁ ପୂରା ବିଶ୍ୱ ପାଇଁ ଏମିତି ଜଣେ ଖେଳାଳୀ ଥିଲେ ଯିଏ ଫୁଟବଲ ଦୁନିଆର ଅଦିତ୍ୱୀୟ କହିଲେ କିଛି ଭୁଲ ହେବନି । ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ପେଲେ ୮୨ବର୍ଷ ବୟସରେ ସବୁ ଦିନ ପାଇଁ ଆଖି ବୁଜିଛନ୍ତି । ପେଲେଙ୍କ ଝିଅ କେଲି ଖ୍ରୀଷ୍ଟିନା ବାପାଙ୍କ ମୃତ୍ୟୁ ଖବର ସମ୍ବନ୍ଧରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଫୁଟବଲ ବାଦଶାହା ‘ପେଲେ’
• ପେଲେ ନାମରେ ପରିଚିତ ଏଡସନ୍ ଅରାଟେଂସ୍ ଡୁ ନାସ୍କିମେଟୋଂ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ଖେଳ ଆରମ୍ଭ କରିଥିଲେ
• ସେ ମୋଟ ୯୨ଟି ମ୍ୟାଚ ଖେଳି ୭୭ଟି ଗୋଲ ଦେଇଛନ୍ତି
• ୨ଦଶକ ଧରି ଫୁଟବଲ ଦୁନିଆରରେ ସକ୍ରିୟ ଥିଲେ
• ୧୯୫୮, ୧୯୬୨, ୧୯୭୦ରେ ବ୍ରାଜିଲ ବିଜୟୀ ଦଳର ସେ ଥିଲେ ଏକମାତ୍ର ଖେଳାଳି
• ୧୮ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ ଖେଳିଥିଲେ
• ୧୯୫୮ରେ ସେ ତାଙ୍କର ପ୍ରଥମ ବିଶ୍ୱକପରେ ଫାଇନାଲ ମ୍ୟାଚରେ ଦୁଇଟି ଗୋଲ ଦେବା ସହ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ
• ୧୯୬୨ ବିଶ୍ୱକପରେ ସେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ
• ୧୯୭୦ରେ ବ୍ରାଜିଲ ଇଟାଲୀକୁ ୪-୧ରେ ହରାଇବାରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କୁ ଫୁଟବଲର ଗୋଟ୍ ବୋଲି କୁହାଯାଏ
• ତେବେ ସେ ବ୍ରାଜିଲର ସାଟେଂସ୍ କ୍ଲବ ପାଇଁ ୬୫୯ ଟି ମ୍ୟାଚ ଖେଳିଥିବା ବେଳେ ମୋଟ ୬୪୩ଟି ଗୋଲ କରିଛନ୍ତି ।
• ଫିପା ଦ୍ୱାରା ପେଲେ ୨ଥର ଗ୍ରେଟେଷ୍ଟ ଉପାଧୀରେ ସମ୍ମାନିତ ହୋଇଥିଲେ
• ଫିପା ପ୍ଲେୟାର ଅଫ ଦ ସେଂଚୁରୀ ଆୱାର୍ଡ ପ୍ରଦାନ କରାଯାଇଛି

ଭାରତ ସହ ପେଲେଙ୍କ ଖାସ୍ ସର୍ମ୍ପକ ରହିଥିଲା । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ପେଲେ ଭାରତ ଆସିଥିଲେ । କୋଲକାତାରେ ଆୟୋଜିତ ଏକ ବନ୍ଧୁତା ମ୍ୟାଚ୍ ଖେଳିଥିଲେ । ୨୦୧୫ ମସିହାରେ ୨ୟ ଥର ଭାରତ ଯାତ୍ରା ସମୟରେ କୋଲକାତାର ଦୁର୍ଗା ପୂଜା ସହ ସାମିଲ ହୋଇଥିଲେ । ଏଥିସହ କହିଥିଲେ କି ପୁଣି ଥରେ ସେ ଭାରତ ନିଶ୍ଚୟ ଆସିବେ । କାରଣ ସେ ଭାରତକୁ ବେଶ ଭଲ ପାଆନ୍ତି । ଏହି ମହାନ ଖେଳାଳୀଙ୍କ ନିଧନ ଯୋଗୁଁ କ୍ରୀଡା ଦୁନିଆରେ ଏକ ଅପୂରଣୀୟ କ୍ଷତି ହୋଇଛି । ସବୁଠି ଛୁଟୁଛି ପେଲେଙ୍କ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳୀର ବାର୍ତା । ଇଏ ଏମିତି ଜଣେ ଖେଳାଳୀ ଥିଲେ ଯିଏ ବଂଚିଥିବା ସମୟରେ ଯେତିକି ରେକର୍ଡ, ଭଲପାଇବା, ସମ୍ମାନ ପାଇଥିଲେ ତାଠୁ ବହୁଗୁଣା ଅଧିକ ନିଜର ଏକ ସ୍ୱତନ୍ତ୍ର ଛାପ୍ ଛାଡି ଚାଲିଯାଇଛନ୍ତି , ଯାହା ଆଗାମୀ ପୀଡିଙ୍କ ପାଇଁ ପ୍ରେରଣା ଦେବ ।