ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ : ଟ୍ରେନକୁ ଅଟକାଇ ଖାନତଲାସ କଲା ରେଳବାଇ ପୁଲିସ

167

କନକ ବ୍ୟୁରୋ : ନୂଆଦିଲ୍ଲୀରୁ ପୁରୀ ଆସୁଥିବା ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଉତରପ୍ରଦେଶର ମିର୍ଜାପୁର ନିକଟ ଚୁନାର ଷ୍ଟେସନରେ ଟ୍ରେନକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଡଗ ସ୍କ୍ୱାର୍ଡ ଓ ବୋମା ସ୍କ୍ୱାର୍ଡ ସହ ସ୍ଥାନୀୟ ପୁଲିସ ଓ ଜିଆରପି ପୁଲିସ ଖାନତଲାସୀ ଆରମ୍ଭ କରିଥିଲେ । ଟ୍ରେନ ଇଞ୍ଜିନରେ ବୋମା ଖଞ୍ଜା ଯାଇଥିବା ସୂଚନା ମିଳିଥିବା ଇଞ୍ଜିନରେ ଖୋଜାଖୋଜି କରିବା ପରେ ଗୋଟିଏ ପରେ ଗୋଟିଏ ବଗି ଯାଞ୍ଚ କରାଯାଇଥିଲା ।

ହେଲେ ବୋମା ନମିଳିବାରୁ ପୁଣି ଏକ୍ସପ୍ରେସ ଟ୍ରେନ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୂଚନା ଅନୁସାରେ ଜଣେ ଗାର୍ଡ ଷ୍ଟେସନ ମାଷ୍ଟରଙ୍କୁ ଟ୍ରେନରେ ବୋମା ଥିବା ସୂଚନା ଦେଇଥିଲେ । ପୁରୁଷୋତମ ଏକ୍ସପ୍ରେସର ଇଞ୍ଜିନରେ ବୋମା ଥିବା ସୂଚନା ପାଇବା ପରେ ଅଲର୍ଟ ହୋଇଥିଲା ରେଳ ବିଭାଗ । ତୁରନ୍ତ ଟ୍ରେନକୁ ଚୁନାର ଜଙ୍କସନରେ ରଖି ଖାନତଲାସୀ କରାଯାଥିଲା । ହେଲେ ଯାଂଚ ପରେ ଏହା ଗୁଜବ ବୋଲି ଜଣାପଡିଛି । ଏହାପରେ ପୁଣି ପୁରୁଷୋତମ ଏକ୍ସପ୍ରେସ ପୁରୀ ଅଭିମୁଖେ ଯାତ୍ରା କରିଛି ।