ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ବିରୋଧ କରି ଖୋର୍ଦ୍ଧାରେ ତାତିଲେ ବିଜେପି କର୍ମୀ । ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବାକୁ ଦାବି । ପରସ୍ପର ଉପରେ ବର୍ଷିଲେ ବିଜେଡି-ବିଜେପି ନେତା

270

କନକ ବ୍ୟୁରୋ: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ବିବାଦ ବଢିବାରେ ଲାଗିଛି । ଗିରଫ ପ୍ରତିବାଦରେ ଖୋର୍ଦ୍ଧାରେ ବିଜେପି କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା, କାହିଁକି ଏ ଯାଏଁ ସିସିଟିଭି ଯାଞ୍ଚ କରାଯାଇନାହିଁ । ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ବିଜେପି କର୍ମୀ ଦାବି କରିଛନ୍ତି ।

  • ଖୋର୍ଦ୍ଧାରେ ତାତିଲେ ବିଜେପି କର୍ମୀ
  • ଘେରିଲେ ଉପଜିଲ୍ଲାପାଳଙ୍କ ଅଫିସ୍
  • ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ବିରୋଧ

ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ବିରୁଦ୍ଧରେ ରୁଣ୍ଡ ହୋଇଛନ୍ତି ଶହ ଶହ ବିଜେପି କର୍ମୀ । ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିବା ସହ କାହିଁକି ସିସିଟିଭି ଯାଞ୍ଚ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଓ କର୍ମୀ ।

  • ସିସିଟିଭି ଫୁଟେଜର ଯାଞ୍ଚ କରାଯାଉ
  • ସିସିଟିଭିକୁ ସାର୍ବଜନୀନ କରାଯାଉ
  • ଏବଂ ପ୍ରଶାନ୍ତଙ୍କୁ ନିସର୍ତ୍ତ ଖଲାସ୍ କରାଯାଉ
  • ବୋଲି ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି । ତେବେ ପ୍ରିଜାଇଡିିଂ ଅଧିକାରୀଙ୍କ ଏତଲା ଅଧାରରେ ଗିରଫ କରାଯାଇଥିବା ଏସପି ସୂଚନା ଦେଇଥିଲେ । ଏପଟେ ପ୍ରକୃତରେ ଘଟିଥିଲା କ’ଣ ଜଗଦ୍ଦେବଙ୍କ ଡାଇଭର ଖୁଲାସା କରିଛନ୍ତି ।

ଏପଟେ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ବର୍ଷିଛି ବିଜେଡି । ଜଗଦ୍ଦେବଙ୍କୁ ଜଣେ ଅଭ୍ୟାସଗତ ଅପରାଧୀ କହିବା ସହ ବିଜେପିର ବରିଷ୍ଠ ନେତା ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି । ଛେଣ୍ଡିପଦା ବିଧାୟକଙ୍କ କ୍ଷେତ୍ରରେ ନୋଟିସ୍ ଦେଇ ଛାଡ଼ି ଦିଆଯାଉଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏହା କି ପ୍ରକାର ନ୍ୟାୟ ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।

ତେବେ ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରି ଦେଇଛନ୍ତି, ବିଧାୟକ ହୁଅନ୍ତୁ ବା ବିଧାୟକ ପ୍ରାର୍ଥୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିିବ । ତାଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ କରାନଯାଉ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।