ସୁନାପ୍ରିୟ ଭାରତୀୟ ମହିଳା: ପାଖରେ ରହିଛି ପ୍ରାୟ ୨୪ ହଜାର ଟନର ସୁନାଗହଣା

261

କନକ ବ୍ୟୁରୋ: ଦିନକୁ ଦିନ ସୁନା ଦର ଆକାଶଛୁଆଁ ହେବାରେ ଲାଗିଛି । କିନ୍ତୁ ଲୋକଙ୍କର ସୁନା କିଣା ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ସୁନା ଗହଣା ପ୍ରତି ଲୋକଙ୍କ ଚାହିଦା ଥିବାରୁ ଏହାର ଦରକୁ ଅଧିକ ବଢ଼ାଇ ଦେଇଛନ୍ତି ସୁନା ବ୍ୟବସାୟୀ । ବିଶେଷକରି ବିବାହ ଋତୁରେ ସୁନା କିଣିବାର ଚାହିଦା ଅଧିକ ରହିଥାଏ । ଏହାରି ଭିତରେ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ମହିଳାଙ୍କ ନିକଟରେ ରହିଛି ୨୪ହଜାର ଟନ୍ ସୁନା ଗହଣା ।

ଭାରତୀୟ ମହିଳା ସୁନା ପ୍ରିୟ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଭାରତୀୟ ମହିଳାଙ୍କ ପାଖରେ ଏତେ ସୁନା ଥିବା ତାହା ଅନୁମାନ କରିବା କଷ୍ଟକର । ହେଲେ ୱାଲ୍ଡ ଗୋଲ୍ଡ କାଉନସିଲ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହା ଚମକାଇ ଦେବା ଭଳି । ରିପୋର୍ଟ ଅନୁସାରେ ଭାରତୀୟ ମହିଳାଙ୍କ ପାଖରେ ରହିଛି ପ୍ରାୟ ୨୪ହଜାର ଟନ୍ ସୁନା ଗହଣା । ଯାହା ବିଶ୍ୱର ଯେକୌଣସି ଭଣ୍ଡାରରେ ଥିବା ସୁନାର ପରିମାଣଠାରୁ ଅଧିକ । ଅର୍ଥାତ ଭାରତୀୟ ମହିଳାଙ୍କ ପାଖରେ ଯେତିକି ସୁନା ଅଛି ତାହା ବିଶ୍ୱର ସର୍ବବୃହତ ଭଣ୍ଡାର ବୋଲି କୁହାଯାଉଛି ।

ୱାଲ୍ଡ ଗୋଲ୍ଡ କାଉନସିଲର ଆଉ ଏକ ତଥ୍ୟ ଅନୁସାରେ, ମନ୍ଦିର ତୁଳନାରେ ମହିଳାଙ୍କ ପାଖରେ ଅଧିକ ସୁନାଗହଣା ରହିଛି । ଭାରତୀୟ ମନ୍ଦିରରେ ଏବେ ୪ହଜାର ଟନ୍ ସୁନା ରହିଛି । ସେଥିରୁ, କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ ୧୩ଶହ ଟନ୍ ସୁନା ଏବଂ ଆନ୍ଧ୍ରର ତିରୁପତି ମନ୍ଦିରରେ ୨୫୦ରୁ ୩୦୦ ଟନ୍ ସୁନା ରହିଛି ।କିନ୍ତୁ ମହିଳାଙ୍କ ପାଖରେ ଯଥେଷ୍ଟ ଅଧିକ ସୁନା ରହିଛି । ତେବେ ସୁନା ରଖିବା ପଛର ବିଭିନ୍ନ କାରଣ କହିଛନ୍ତି ବଜାର ବିଶେଷଜ୍ଞ । ସୁନା ଦର ବଢ଼ୁଥିଲେ ବି ଲୋକଙ୍କ ଭିତରେ ଏହି ଧାତୁ ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି । ଏଥିସହ କଳାଧନ ସଂଚୟ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି ସୁନା ।