ତିତଲି ପରେ ତେଜିଲା ରାଜନୀତି । ଜିରୋ କାଜୁଆଲିଟିକୁ ବିଜେପିର ସମାଲୋଚନା, ବିଜେଡ଼ି ରଖିଲା ଜବାବ ।

58
କନକ ବ୍ୟୁରୋ: ତିତଲି ପରେ ତେଜିଲା ରାଜନୀତି । ‘ଜିରୋ କାଜୁଆଲିଟି’କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା । ଆନେକ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଁଚି ପାରି ନାହାନ୍ତି ସରକାର । ଏମିତି କିଛି ଜାଗାରେ ମୃତଦେହ ଭାସୁଥିବାର ପ୍ରମାଣ ଥାଇ ମଧ୍ୟ ଉଦ୍ଧାର ହୋଇପାରିଲେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ବିଜେପିର ୩ ଜଣିଆ ପ୍ରତିନିଧି ଜଳ ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି । ୧୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଲୋକମାନଙ୍କୁ ଠିକ୍ ଭାବରେ ସ୍ଥାନାନ୍ତର କରାଯାଇ ନଥିବା ଅଭିଯୋଗ କରିଛି ବିଜେପି । ଏହା ଦର୍ଶାଉଛି ଯେ ‘ଜିରୋ କାଜୁଆଲିଟି’ ନାଁରେ ଡ଼ାହା ମିଛ କହୁଛନ୍ତି ରାଜ୍ୟ ସରକାର  । ତେଣୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଇସ୍ତଫା ଦିଅନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଦାବି କରିଛନ୍ତି ।
ସେପଟେ ବିଜେପିର ଅଭିଯୋଗକୁ ନେଇ ଉତ୍ତର ରଖିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି, ଦୁର୍ଭାଗ୍ୟର ବିଷୟ ଯେତେବେଳେ ଓଡିଶାର ସ୍ୱେଚ୍ଛାସେବି, ଲୋକ ପ୍ରତିନିଧିମାନେ ତିତଲି ପ୍ରଭାବିତ ୩ ଲକ୍ଷ ଲୋକଙ୍କୁ ଆଶ୍ରୟ ଏବଂ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ପ୍ରୟାସ କରୁଥିଲେ ସେତେବେଳେ ବିରୋଧିଦଳର ନେତାମାନେ ଘରେ ବସି ଏହାକୁ ବିରୋଧ କରିବା ସହ ସମାଲୋଚନା କରିଛନ୍ତି । ବୋଧ ହୁଏ ବିରୋଧିଦଳ ନେତାମାନେ ଜନସାଧାରଣଙ୍କ ମଙ୍ଗଳ ଚାହୁଁ ନାହାଁନ୍ତି ।
ଅନ୍ୟପଟେ ଗଜପତିରେ ପାହାଡ ଧସି ଘଟିଥିବା ଦୁର୍ଘଟଣାକୁ ନେଇ ମଧ୍ୟ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।