ପୋଲିସ ପ୍ରଶ୍ନରେ ଝାଳନାଳ ହେଲେ ରଞ୍ଜିତା ବିଶ୍ୱାଳ! ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ଗୋଟିଏ ଟେବୁଲରେ ସୁଶାନ୍ତ ଧଳସାମନ୍ତ ଓ ରଞ୍ଜିତାଙ୍କୁ ଜେରା କଲା କମିସନରେଟ ପୋଲିସ

38

କନକ ବ୍ୟୁରୋ : ରିମାଣ୍ଡର ଦ୍ୱିତୀୟ ଦିନରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ୪ ଘଂଟା ଧରି ମୁହାଁମୁହିଁ ଜେରା କରିଛି ପୋଲିସ । ଗତ ଫେବୃଆରୀ ୨୩ ରେ ହୋଇଥିବା ବିଜନ ପାଲ୍ ଗୁଳିକାଣ୍ଡ ଘଟଣାରେ ଏମାନଙ୍କର ସଂପୃକ୍ତି ନେଇ ପୋଲିସ ପଚରା ଉଚରା କରିଛି । ଆସନ୍ତାକାଲି ଉଭୟଙ୍କ ରିମାଣ୍ଡ ସରୁଥିବା ବେଳେ ଡିବ୍ରଦର୍ସଙ୍କ ସହ ଆର୍ଥିକ କାରବାର ନେଇ ପୋଲିସ, କର୍ପୋରେଟର ରଂଜିତା ବିଶ୍ୱାଳଙ୍କ ବ୍ୟାଙ୍କ ଆକାଉଂଟ୍ ଯାଂଚ୍ କରିପାରେ ।

ଗୋଟିଏ ଟେବୁଲରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳ । ସାମ୍ନାସାମ୍ନି ବସାଇ ଗୁଡାଇତୁଡାଇ ତୁହାକୁ ତୁହା ପ୍ରଶ୍ନ କରିଛନ୍ତି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ । କାରଣ, ଗତ ଫେବୃଆରୀ ୨୩ ରେ ହୋଇଥିବା ବିଜନ ପାଲ୍ ଗୁଳିକାଣ୍ଡ ଘଟଣାରେ ଏମାନଙ୍କର ବୟାନ ପୋଲିସକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଦେଇଥିଲା । କିଏ, କାହିଁକି ଆଉ କେମିତି ଯୋଜନା କରିଥିଲା ବିଜନ ପାଲର ହତ୍ୟାକାଣ୍ଡ ପାଇଁ, ତାହାର ଖିଅ ଖୋଜିବାକୁ ଯାଇ ଏଭଳି ମୁହାଁମୁହିଁ ଜେରା କରିଛି ପୋଲିସ ।ସାମ୍ନାସାମ୍ନି ବସାଇ ପୋଲିସ, ରଂଜିତା ଓ ସୁଶାନ୍ତ ଧଳସାମନ୍ତଙ୍କୁ କିଛି ମଂଜି ପ୍ରଶ୍ନ କରିଥିଲା । ଯେଉଁଥିରେ ହଡବଡେଇ ଯାଇଥିଲେ ଉଭୟ ରଂଜିତା ଓ ସୁଶାନ୍ତ । ସକାଳ ପ୍ରାୟ ୧୨ଟାରୁ ଅପରାହ୍ନ ୪ଟା ଯାଏଁ , କଟକ ସଦର ଥାନାରେ ଚାଲିଥିଲା ପଚରା ଉଚରା । ଆଉ ପୋଲିସ ପ୍ରଶ୍ନ କରିଥିଲା

ଡି-ବ୍ରଦର୍ସ ସହ କର୍ପୋରେଟର ରଂଜିତାଙ୍କ କଣ ଆର୍ଥିକ କାରବାର ରହିଛି?ବିଜନ ପାଲ୍ ଗୁଳିକାଣ୍ଡରେ ଆଉ କିଏ କିଏ ସଂପୃକ୍ତ?ଧଳସାମନ୍ତଙ୍କ ଅପରାଧରେ ରଂଜିତାଙ୍କ ସଂପୃକ୍ତି ରହିଛି କି?ଏହି ପ୍ରଶ୍ନ ସବୁର ଉତର ଜାଣିବା ପାଇଁ ପୋଲିସ ବିଭିନ୍ନ ବାଟରେ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । ଖାଲି ସେତିକି ନୁହେଁ, ଜେଲ୍ ଭିତରୁ ରଂଜିତା ବିଶ୍ୱାଳଙ୍କ ଦ୍ୱାରା ଡି-ବ୍ରଦର୍ସ ବଟି ଆଦାୟ କରୁଥିବା ପୋଲିସ ସନ୍ଦେହ କରୁଛି । କର୍ପୋରେଟର ହେବା ପୂର୍ବରୁ ଧଳସାମନ୍ତଙ୍କ କଟକ ନଗର ଯୁବକ ସଂଘର ସକ୍ରିୟ ସଦସ୍ୟ ଥିଲେ ରଂଜିତା ବିଶ୍ୱାଳ ।

ଯେଉଁଥିପାଇଁ ରଂଜିତାଙ୍କ ପାଖରେ ଅଟକିଛି ପୋଲିସର ସନ୍ଦେହ ଆଖି । ୩ ଦିନିଆ ରିମାଣ୍ଡରେ ଥିବା ସୁଶାନ୍ତ ଧଳସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ବୁଧବାର ଅଲଗା ଅଲଗା ଜେରା କରିଥିଲେ ସ୍ୱତନ୍ତ୍ର ପୋଲିସ ଅଧିକାରୀ । ପଚରାଉଚରା ପରେ ପୋଲିସ ଡି ବ୍ରଦର୍ସଙ୍କ ସହଯୋଗୀ ଆଶିଷ ବେହେରାକୁ ଗିରଫ କରିଛି । ତା ନାଁରେ ୧୩ଟି ମାମଲା ରହିଥିବା ବେଳେ ଆଶିଷ ଜଣେ ସାର୍ପ ସୁଟର ବୋଲି ପୋଲିସ ଜାଣିବାକୁ ପାଇଛି । ଦ୍ୱିତୀୟ ଦିନରେ ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳଙ୍କୁ ହୋଇଛି ମୁହାଁମୁହିଁ ଜେରା । ଆଉ ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ।