ମୁଖ୍ୟମନ୍ତ୍ରୀ ସାର୍…ଆଉ ପାରୁନି, ବହୁତ ଥକିପଡିଲିଣି । ମୁଁ ମରିବାକୁ ଚାହୁଁଛି ସାର, ମୋତେ ଦୟାକରି ଇଚ୍ଛାମୃତ୍ୟୁ ଦିଅନ୍ତି । ଜୀବନ ଯନ୍ତ୍ରଣା ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ ବିଜୟ ।

619

କନକ ବ୍ୟୁରୋ: ନବୀନ ପଟ୍ଟନାୟକ ସାର୍ । ମୁଁ ଆଉ ପାରୁନି, ବହୁତ ଥକିପଡିଲିଣି । ଏ କଷ୍ଟ, ଯନ୍ତ୍ରଣା ସହିପାରୁନି ସାର୍ । ଅନେକ ଚେଷ୍ଟା କରିସାରିଲିଣି, ହେଲେ ଆଉ ପାରୁନି । ମୋ ଜୀବନ ରଖିବାକୁ ମୋର ଆଉ ଇଚ୍ଛା ନାହିଁ । ମୁଁ ମରିବାକୁ ଚାହୁଁଛି ସାର୍ । ଆପଣ ମୋତେ ଦୟାକରି ଇଚ୍ଛାମୃତ୍ୟୁ ଦିଅନ୍ତୁ ।
ଯେବେ ଜୀବନ ଆଉ ଯନ୍ତ୍ରଣାରୁୁ ମୁକ୍ତି ଲାଗି ମରଣ ମୋକ୍ଷ ଲାଗେ । ବଞ୍ଚିବାଠୁ ଜୀବନ ହାରିବା ଶ୍ରେୟ ମନେ ହୁଏ । ବୋଧହୁଏ ସେତେବେଳେ ହିଁ ଜଣେ ଲୋକ ଏମିତି କଥା କହିପାରେ । ନିଜ ଜୀବନ ହରେଇ, ମୃତ୍ୟୁକୁ ଆପଣାଇବାକୁ ପତ୍ର ଲେଖିପାରେ ।

ବିଛଣାରେ ବିତୁଛି ଜୀବନ ଆଉ ଏ ଚାଳ ଛପର ଘରେ କଷ୍ଟରେ କଟୁଛି ପ୍ରତିଟି ସମୟ । ନାଁ ଗୋଡ ଉଠେଇ ହେଉଛି, ନା ଶରୀରକୁ ବୋହି ହେଉଛି । ବାଲେଶ୍ୱର ରେମୁଣାର ବିଜୟ କୁମାର ଜେନା ବାପା ମାଆଙ୍କ ବଡ ପୁଅ । ଆଶା ଥିଲା ପାଠପଢି ଚାକିରି କରିବେ, ବାପା ମାଆଙ୍କ ମୁହଁରେ ହସ ଫୁଟେଇବେ । ହେଲେ ୪ ବର୍ଷ ତଳର ଏକ ସଡକ ଦୁର୍ଘଟଣା, ତାଙ୍କ ଜୀବନକୁ ଖାଲି ବଦଳେଇ ଦେଇନଥିଲା, ବରଂ ତାଙ୍କୁ ସବୁଦିନ ପାଇଁ ଦିବ୍ୟାଙ୍ଗ କରି ଦେଇଥିଲା । ଆଉ ସେବେଠୁ ଏମିତି ବିଛଣାରେ ଶୋଇ ଶୋଇ କଟୁଛି ବିଜୟ ଏ ଜୀବନ । ନା ସାହାଯ୍ୟ ଟିକେ ମିଳୁଛି, ନା ସରକାରୀ ସହାୟତା ଟିକେ ପହଞ୍ଚୁଛି ।

ବିଜୟଙ୍କ ବାପା କୁନା ଜେନା, ମାଆ ସୁଲୋଚନା ଜେନା ବି ଉଭୟ ଦିବ୍ୟାଙ୍ଗ । ଆଉ ଦୁର୍ଭାଗ୍ୟକୁ ଘରର ରୋଜଗାରିଆ ପୁଅ ବି ଏବେ ବିଛଣାରେ । ଏମିତି ସ୍ଥିତିରେ ଘରର ରୋଜଗାର କହିଲେ ସେଇ ୧୯ ଶହ ଟଙ୍କା ସରକାରୀ ଭତ୍ତା । ବାପା, ମା, ଆଉ ପୁଅର ଭତ୍ତା ବାବଦକୁ ଯେତିକି ଟଙ୍କା ମିଳୁଛି, ସେତିକିରେ ଜୀବନ ଜିଇଁବା କଷ୍ଟକର ।

ଏହା ଭିତରେ ବିଜୟ ସରକାରୀ ସାହାଯ୍ୟ ଟିକେ ପାଇବା ପାଇଁ ଅନେକ ଚେଷ୍ଟା କରିସାରିଲେଣି । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଧାୟକ, ସାଂସଦ ସସସ୍ତଙ୍କୁ ଗୁହାରୀ ଜଣେଇ ସାରିଲେଣି । ହେଲେ ସହାୟତା କଣ? ଆହାଃ ଟିକେ କହିବାକୁ ବି କେହି ଦୁଆର ମାଟି ମାଡିନାହାଁନ୍ତି । କି ସରକାରୀ ସହାୟତା ଯୋଗାଇ ନାହାଁନ୍ତି । ସବୁଠି ମିଳିଛି ତ, କେବଳ ପ୍ରତିଶ୍ରୁତି, ଆଉ ପ୍ରତାରଣା । ତେଣୁ ଶେଷକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ଜୀବନ ହାରିବାକୁ ଇଚ୍ଛାମୃତ୍ୟୁ ଚାହିଁଛନ୍ତି ଦିବ୍ୟାଙ୍ଗ ବିଜୟ ।

ତେବେ ମୃତ୍ୟୁ କେବେ ବି କେଉଁ ସମସ୍ୟାର ସମାଧାନ ନୁହେଁ । ଜୀବନଠୁ ମରଣ କେବେ ବି ବଡ ନୁହେଁ । ହେଲେ ସହିବାର ସୀମା ଯେବେ ଟପିଯାଏ, ସେତେବେଳେ ବିଜୟଙ୍କ ଭଳି କିଛି ଲୋକ, ମୃତ୍ୟୁକୁ କୋଳେଇ ନେବାକୁ ଇଚ୍ଛା କରନ୍ତି । ତେଣୁ ଯଦି ବିଜୟଙ୍କୁ ସରକାରୀ ସାହାଯ୍ୟ ଟିକେ ମିଳନ୍ତା, ପ୍ରଶାସନ ତରଫରୁ ସହାୟତା ଟିକେ ଯୋଗାଇ ଦିଆଯାଆନ୍ତା ତେବେ ତାଙ୍କ ବାକି ଜୀବନ ଖୁସିରେ କଟିପାରନ୍ତା ।