ପୁରୁଣା ପେନସନ ଯୋଜନାକୁ ନେଇ ଲୋକସଭାରେ ହଟ୍ଟଗୋଳ, ଜାଣନ୍ତୁ କଣ ରହିଛି ସରକାରଙ୍କ ଭବିଷ୍ୟତ ଯୋଜନା

1,920

କନକ ବ୍ୟୁରୋ : ପୁରୁଣା ପେନସନ ଯୋଜନା ଏବେ କିଛି ରାଜନୈତିକଦଳଙ୍କୁ ଭୋଟ ହାତେଇବାର ଏକ ବଡ ଅସ୍ତ୍ର ପାଲଟିଛି । ପ୍ରଥମେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏଥିରେ ପ୍ରଲୋଭିତ କରି ନିର୍ବାଚନ ଜିତିବା ପରେ ଏହି ଯୋଜନା ଲାଗୁ କରିଥିଲେ । ଏହାପରେ ହିମାଚଳପ୍ରଦେଶରେ ମଧ୍ୟ ଏହି ପ୍ରତିଶ୍ରୁତି ଦେଇ କଂଗ୍ରେସ କ୍ଷମତାକୁ ଫେରିଛି । ଏହାପରେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂ ସୁଖୁ କହିଛନ୍ତି ତାଙ୍କ ସରକାରର ପ୍ରଥମ କାର୍ଯ୍ୟ ହେଉଛି ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରିବା । ଏବେ ସମାନ ପ୍ରସଙ୍ଗରେ ଲୋକସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି ।

ଲୋକସଭାର ଶୀତକାଳୀନ ଅଧିବେଶନରେ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥ ରାଜ୍ୟମନ୍ତ୍ରୀ ଡ, ଭାଗବତ କରାଡ ଏହାର ଲିଖିତ ଜବାବ ଦେଇଛନ୍ତି । ସେ ତାଙ୍କ ଜବାବରେ ଲେଖିଛନ୍ତି କି କେନ୍ଦ୍ର ସରକାର ପୁଣିଥରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ସପକ୍ଷରେ ନାହାଁନ୍ତି ।

ଭାଗବତ କରାଡ କହିଛନ୍ତି କି ରାଜ୍ୟ ସରକାରମାନେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ସେମାନଙ୍କ ତରଫରୁ ବିଜ୍ଞତି ଜାରି କରିଛନ୍ତି । ହେଲେ କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ ଚାହୁଁଛନ୍ତି କି, ରାଜ୍ୟ କର୍ମଚାରୀମାନଙ୍କ ଦରମାରୁ ଏନପିଏସକୁ ଯାଇଥିବା ଅର୍ଥ ଫେରସ୍ତ ପାଇବାର କୌଣସି ପ୍ରାବଧାନ ନାହିଁ ।

କେନ୍ଦ୍ର ସରକାରଙ୍କର ଏଭଳି ଜବାବ ସେତେବେଳେ ଆସିଛି ଯେତେବେଳେ କି ଅଣ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, ଛତିଶଗଡ, ରାଜସ୍ଥାନ ଓ ପଞ୍ଜାବ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଘୋଷଣା କରିସାରିଛନ୍ତି ।