ପିଡିଏସ ଚାଉଳ ଦେବାରେ ଅନିୟମିତତା ଅଭିଯୋଗ : ଯୋଗାଣ ଅଧିକାରୀଙ୍କୁ ଚଲେଇ ଚଲେଇ ନେଇଗଲେ ହିତାଧିକାରୀ

109

କନକ ବ୍ୟୁରୋ : ପିଡିଏସ ଚାଉଳ ଦେବାରେ ଅନିୟମିତତା ଅଭିଯୋଗ । ଯୋଗାଣ ଅଧିକାରୀଙ୍କୁ ଚଲେଇ ଚଲେଇ ନେଇଗଲେ ହିତାଧିକାରୀ । ବାସୁଦେବପୁର ବ୍ଲକ କରଞ୍ଜଆଡିଆ ପଞ୍ଚାୟତର ନିୟୋଜିତ ରିଟେଲରଙ୍କ ମନମାନି ପାଇଁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ଲୁଟପାଟ ହୋଇ ଆସୁଛି ବୋଲି ହିତାଧିକାରୀମାନେ ଅଭିଯୋଗ କରି ଆସୁଛନ୍ତି ।

ଗତ ଫେବୃଆରୀ ଓ ମାର୍ଚ୍ଚ ଦୁଇ ମାସର ସାମଗ୍ରୀ ରିଟେଲର କ୍ଷୀରମଣୀ ସାହୁ ଦେଇ ନଥିବା ହିତାଧିକାରୀ ଅଭିଯୋଗ କରି ଆସୁଥିବା ବେଳେ ପ୍ରସାଶନ କର୍ଣ୍ଣପାତ କରୁନଥିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାପରେ ସ୍ଥାନୀୟ କରଞ୍ଜଆଡିଆର ଶତାଧିକ ହିତାଧିକାରୀ ବ୍ଲକରେ ପହଞ୍ଚି ହୋ ହାଲ୍ଲା କରିଥିଲେ । ବିଡ଼ିଓ ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲେ । ହେଲେ ଯୋଗାଣ ବିଭାଗ ନିରୀକ୍ଷକ ଅଜୟ ଦାସ ବ୍ଲକରେ ପହଞ୍ଚିବା ପରେ ପରିସ୍ଥିତି ଅଣାୟତ ହୋଇଥିଲା ।

ପ୍ରତିବାଦକାରୀ ମହିଳାମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ କରଞ୍ଜଆଡିଆ ଅଭିମୁଖେ ରିଟେଲରଙ୍କ ପାଖକୁ ନେବା ବେଳେ ବଚଶା ହୋଇଥିଲା । ଏମିତିକି ବିଚ ବଜାରରେ ଅଧିକାରୀଙ୍କୁ ମହିଳାମାନେ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କୁ ଉଦ୍ଧାରକରି ନେଇଥିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।