ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଅଭାବନୀୟ ଘଟଣା : ବାପ, ପୁଅଙ୍କ ଜୀବନ ନେଲା ଭାଲୁ !

87

କନକ ବ୍ୟୁରୋ : ବାପ, ପୁଅଙ୍କ ଜୀବନ ନେଲା ଭାଲୁ । ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଘଟିଛି ଏପରି ଅଭାବନୀୟ ଘଟଣା । ତଳଗାଁ ପଂଚାୟତ କଣ୍ଠିସର ଗାଁରେ ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଆଉ ପାଲଟା ଆକ୍ରମଣରେ ମାଆ ଓ ଦୁଇ ଛୁଆ ଭାଲୁର ମୃତ୍ୟୁ ହୋଇଛି । କଣ୍ଠିସର ଗାଁର ବ୍ରାହ୍ମା ଭୋଇ ଓ ତାଙ୍କ ୧୨ ବର୍ଷର ପୁଅ ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

କାଠ ସଂଗ୍ରହ କରୁଥିବା ବେଳେ ବ୍ରାହ୍ମା ଭୋଇଙ୍କ ପୁଅ ସୁକାନ୍ତକୁ ପ୍ରଥମେ ଦୁଇ ଛୁଆଙ୍କ ସହ ମାଆ ଭାଲୁ ଆକ୍ରମଣ କରିଥିଲା । ପୁଅକୁ ବଂଚାଇବାକୁ ଯାଇ ବାପା ବ୍ରାହ୍ମା ଭୋଇ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଉଭୟଙ୍କୁ ବଂଚାଇବାକୁ ଯାଇ ପଡୋଶୀ ଦେବେନ୍ଦ୍ର ଭୋଇ ମଧ୍ୟ ଭାଲୁ ସହ ଲଢେଇ କରିଥିଲେ । ତେବେ ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇ ପଡିଛନ୍ତି ପଡୋଶୀ ଦେବେନ୍ଦ୍ର ।

ପାଲଟା ଆକ୍ରମଣରେ ମାଆ ଓ ଦୁଇ ଛୁଆ ଭାଲୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଗୁଡିକୁ ଜବତ କରିବା ସହ ମୃତ ଭାଲୁକୁ ପୋଷ୍ଟମର୍ଟମ କରି ପୋତି ଦେଇଛନ୍ତି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମିଳିବ ବୋଲି ରେଂଜ୍ ଅଧିକାରୀ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –