ବାଲିଗୁଡା ଏନକାଉଂଟର ଘଟଣା : ରାଜସ୍ୱ ବଙ୍ଗଳାରେ ମୃତାହତଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିବେ ଏନସିଏସଟି କମିଶନ

23

ବାଲିଗୁଡା : ବାଲିଗୁଡାରେ ପହଂଚିଛନ୍ତି ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନ । ତାଙ୍କ ସହ ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ସକାଳ ପ୍ରାୟ ୧୦ଟା ୧୦ରେ ବାଲିଗୁଡା ରାଜସ୍ୱ ବଙ୍ଗଳାରେ ପହଂଚିଛନ୍ତି । ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ କମିଶନ ସାକ୍ଷାତ କରିବେ । କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନିରୀହ ଆଦିବାସୀଙ୍କ ମୃତ୍ୟୁ ହେଲା, ସେ ସଂପର୍କରେ ପଚାରି ବୁଝିବେ । ସେମାନଙ୍କ ବୟାନ ରେକର୍ଡ କରିବେ । କମିଶନଙ୍କ ନିର୍ଦେଶରେ ଗତକାଲିଠାରୁ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ବାଲିଗୁଡାରେ ଆଣି ରଖିଛି ଜିଲ୍ଲା ପ୍ରଶାସନ । ରାଜସ୍ୱ ବଙ୍ଗଳାରେ ବି ଉପସ୍ଥିତ ଅଛନ୍ତି କନ୍ଧମାଳ ଜିଲ୍ଲାପାଳ ଓ ଏସପି ଏବଂ ଦକ୍ଷିଣାଂଚଳ ଆଇଜି ଅମିତାଭ ଠାକୁର । କାହିଁକି ଓ କିପରି ଏତେବଡ ଅଘଟଣ ଘଟିଲା ତାର ପୁଙ୍ଖ।ନୁପୁଙ୍ଖ ଯାଂଚ ହେବ । ଗତକାଲିଠାରୁ କମିଶନ କନ୍ଧମାଳରେ ପହଂଚି ସାରିଥିବାବେଳେ, ରାତିରେ ସର୍କିଟ ହାଉସରେ ରହିଥିଲେ। ଆଜି ସକାଳୁ ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପରେ ବାଲିଗୁଡା ନିଆଯାଇଥିଲା । ବାଲିଗୁଡାରେ କମିଶନ ତଦନ୍ତ ସାରି ଭୁବନେଶ୍ୱର ଫେରିଆସିବେ । ଏଠାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପିଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି।