ସୁସ୍ଥ ହେଉଛି ବଳିଆ : କଢାଗଲା ନାକରେ ଲାଗିଥିବା ନଳୀ, ତରଳ ପଦାର୍ଥ ବଦଳରେ ଦିଆଯାଉଛି ନିୟମିତ ଭାତଡାଲି 

228

କନକ ବ୍ୟୁରୋ : ସୁସ୍ଥ ହେଉଛି ବଳିଆ । ନୂଆଦିଲ୍ଲୀସ୍ଥିତ ଏମ୍ସରେ ଯୋଡାମୁଣ୍ଡ ଅଲଗା ହେବା ବଳିଆର ସ୍ୱାସ୍ଥ୍ୟରେ ଆସୁଛି ସୁଧାର । ପୂର୍ବରୁ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏବେ ବଳିଆ ସ୍ୱାସ୍ଥ୍ୟରେ ପରିବର୍ତନ ହେବା ସହ ଧିରେ ଧିରେ ଆରୋଗ୍ୟ ଲାଭ କରୁଛି । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ କହିଛନ୍ତି ଯେ, ବଳିଆର ନାକରେ ଥିବା ନଳୀକୁ କାଢି ନିଆଯାଇଛି ଏବଂ ତଂଟିରେ ଟାକ୍ରିଓଟୋମି ଲଗାଯାଇଛି ।

ତରଳ ପଦାର୍ଥ ବଦଳରେ ଭାତଡାଲି ଦିଆଯାଉଛି । ଜଳଖିଆରେ ଅଣ୍ଡା ମଧ୍ୟ ଦିଆଯାଉଛି । ବଳିଆ ଠିଆହେବାକୁ ଚେଷ୍ଟା କରୁଥିଲେ ବି ଦୁର୍ବଳ କାରଣରୁ ଠିଆ ହୋଇପାରୁନାହିଁ । ଜଗା ଭଳି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ହେଲେ ବଳିଆକୁ ଆହୁରି ୩ ମାସ ସମୟ ଲାଗିପାରେ ବୋଲି ଡାକ୍ତରମାନେ କହିଛନ୍ତି । ଅକ୍ଟୋବର ୨୭ ତାରିଖରେ ଅପରେସନ ଦ୍ୱାରା ଉଭୟଙ୍କୁ ଅଲଗା କରାଯାଇଥିଲା । ଏହି ବିରଳ ଅପରେସନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବାପା ମା’ ଓ ଭାଇ ଜଗାକୁ ବଳିଆ ଭଲ ଭାବରେ ଚିହ୍ନି ପାରୁଛି ଏବଂ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରି ପାରୁଛି । କିନ୍ତୁ ବାକ୍‌ଶକ୍ତି ଏବେ ବି ବିକଶିତ ହୋଇ ପାରୁନାହିଁ ।