ବିଜେଡି-ବୈଜୟନ୍ତ ଲଢେଇର ଶେଷ ଅଧ୍ୟାୟ? ପ୍ରତାପଙ୍କ ଗଡରେ ପ୍ରକଳ୍ପ ପଲିଟିକ୍ସ । ଦଳ ବଳ ବନାମ ‘ଜୟ’ ବଳ

41

କନକ ବ୍ୟୁରୋ : ବିଜେଡି ବନାମ ବୈଜୟନ୍ତ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କୁ ନେଇ ପୁଣି ଆରମ୍ଭ ହେଲା ବିବାଦ । ନିଜ ନିର୍ବାଚନ ମଣ୍ଡଳିରେ ବୈଜୟନ୍ତଙ୍କୁ ବିରୋଧ କରିବା ପାଇଁ ପୂରା ପ୍ରସ୍ତୁତ ବିଜେଡିର ଗୋଟିଏ ଗୋଷ୍ଠୀ । ଗୁରୁବାର ହେବାକୁ ଥିବା ବୈଜୟନ୍ତଙ୍କ କାର୍ଯ୍ୟକ୍ରମକୁ ବାତିଲ କରିବାକୁ କଟକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବ୍ଲକ ବିଜେଡି ସଭାପତି । ସାଂସଦ ଜନତାଙ୍କ ସହ ସମ୍ପର୍କ ରଖିନଥିବାରୁ ଜନ ଅସନ୍ତୋଷ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବ୍ଲକ ବିଜେଡି ସଭାପତି । ତେଣୁ ସେ ଆସିଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ପଷ୍ଟ ଦର୍ଶାଇଛନ୍ତି । କାର୍ଯ୍ୟକ୍ରମକୁ ବତିଲ୍ କରିଦେବାକୁ କଟକ ଜିଲ୍ଲାପାଳଙ୍କୁ ଅନୁରୋଧ କରଯାଇଛି । ତେବେ ଏହି ମାମଲାରେ ଘିଅ ଢାଳିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଜନସାଧାରଣଙ୍କ ପ୍ରତି ଯତ୍ନବାନ ନ’ହେଲେ ଲୋକେ ପ୍ରତିକ୍ରିୟାଶୀଳ ହେବେ ବୋଲି କହି ବୈଜୟନ୍ତଙ୍କୁ ତେରଛା ବାଣ ମାରିଛନ୍ତି ପ୍ରତାପ । ଏମିତିରେ ବି ଉଭୟ ବୈଜୟନ୍ତ ଓ ପ୍ରତାପ ଜେନାଙ୍କ ଭିତରେ ଅହିନକୁଳ ସଂପର୍କ ରହିଛି । ରାଜନୈତିକ ସ୍ତରରେ କେହି କାହାରିକି ପାଖ ପୁରାନ୍ତି ନାହିଁ । ପରସ୍ପରକୁ ସମାଲୋଚନା କରିବା ସହ କିଭଳି ରାଜନୀତିରେ ମାତ୍ ଦିଆଯାଇ ପାରିବ ସେନେେଇ ଗୋଟିଚାଳନା ମଧ୍ୟ କରିଥାନ୍ତି, ଯାହାର ଆଉ ଏକ ଅଧ୍ୟାୟ ଆସନ୍ତା ଗୁରୁବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବାର ଅନୁମାନ କରାଯାଉଛି ।

baijayanta controversial statementବିଜେଡିର ଗୋଟିଏ ଗୋଷ୍ଠୀ ବୈଜୟନ୍ତଙ୍କୁ ଟାର୍ଗେଟ କରିବା ପରେ ସାଂସଦଙ୍କ ଅଫିସରୁ ସ୍ପଷ୍ଟୀକରଣ ଦିଆଯାଇଛି । ଯେଉଁଥିରେ ବିଜେଡିର କ୍ଷମତା କେନ୍ଦ୍ର ତୃତୀୟ ମହଲାକୁ ସିଧାସଳଖ ଆକ୍ଷେପ କରାଯାଇଛି । କୁହାଯାଇଛି, ସ୍ଥାନୀୟ ନେତାମାନଙ୍କୁ ନ’ଡାକିବା ନେଇ ଯେଉଁ ତଥ୍ୟ ଦିଆଯାଉଛି ଏହା ସଂପୁର୍ଣ୍ଣ ମିଥ୍ୟା । ଏହା କୈାଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ସରକାରୀ କାର୍ଯ୍ୟକ୍ରମ । ଉଦଘାଟନ ଅପେକ୍ଷାରେ ରହିଥିବା ପ୍ରକଳ୍ପରୁ କିଛି ଲୋକ ପିସି ପାଇବାରୁ ବଂଚିତ ହେବା ପରେ ଏଭଳି ବିରୋଧ କରାଯାଉଛି । ଏଭଳି ଅସନ୍ତୋଷର ବାତାବରଣ ତିଆରି କରୁଥିବା କିଛି ବ୍ୟକ୍ତିଙ୍କୁ ତୃତୀୟ ମହଲାର ଜଣେ ଅଣ ଓଡିଆ ଅଧିକାରୀ ସୁରକ୍ଷା ଦେଉଛନ୍ତି । ସମସ୍ତେ ଜାଣିଛନ୍ତି. ଏହି ଅଧିକାରୀ ଜଣକ ଦଳୀୟ ରାଜନୀତିରେ ହସ୍ତକ୍ଷେପ କରିବା ସହ ଅସାମ୍ବିଧାନିକ ଭାବେ ରାଜନୀତିରେ ସାମିଲ ହେଉଛନ୍ତି । ରାଜ୍ୟ ଓ ଦଳର ସ୍ୱାର୍ଥ ପାଇଁ ମୁଖିଆ ସଠିକ ପଦକ୍ଷେପ ନେବାର ଆଶା ରଖିଥିବା ବୈଜୟନ୍ତ ଶେଷରେ କହିଛନ୍ତି, ମାହାଙ୍ଗାବାସୀ ଏଭଳି ଗୁଣ୍ଡାଗର୍ଦ୍ଦିର ରାଜନୀତିତକୁ ବରଦାସ୍ତ କରିବେ ନାହିଁ । ଆଗକୁ ଏଭଳି ବ୍ୟକ୍ତିଙ୍କୁ ଉଚିତ୍ ଜବାବ ଦେବେ ବୋଲି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ।

BAIJAYANTA ବିଜେଡି ଭିତରେ ଏବେ ବୈଜୟନ୍ତ ଏକଘରିକିଆ । ଦଳରେ ପ୍ରଭାବ ନାହିଁ ନିଜ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି । ଦଳର କ୍ଷମତାକେନ୍ଦ୍ର ଆଡକୁ ଇଂଗିତ କରି ବୈଜୟନ୍ତ ସହାନୁଭୁତିର ରାଜନୀତି ସହ ରାଜ୍ୟ ରାଜନୀତିରେ ନିଜ ପାଇଁ ଏକ ସ୍ଥାନ ତିଆରି କରିବାକୁ ଚାହୁଁଛନ୍ତି । ଏହା ଜଳ ଜଳ ହୋଇ ଦୃଶ୍ୟମାନ । ନାଁକୁ ମାତ୍ର ବିଜେଡିରେ ଥିବା ବୈଜୟନ୍ତଙ୍କ ମନ କିନ୍ତୁ ପଦ୍ମ ପୋଖରୀ ଆଡେ ଚାଲିଗଲାଣି ବୋଲି ତାଙ୍କ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ଭାବେ ଜଣାପଡୁଛି । ମୁଖ୍ୟମନ୍ତ୍ରୀଙ୍କୁ ଭଲ ଆଉ ତାଙ୍କ ନିକଟତମ ଅଧିକାରୀଙ୍କୁ ଖରାପ କରି ଓଡିଶାର ଜନସାଧାରଣଙ୍କ ଭିତରେ ଏକ ଛାପ ତିଆରି ପାଇଁ ଏହା ଏକ ଭଲ ରଣନୀତି ଏଥିରେ କୈାଣସି ପ୍ରକାରେ ଦ୍ୱିମତ ନାହିଁ । ରାଜନୈତିକ ମହଲରେ ଚର୍ଚ୍ଚା ଅନୁସାରେ, ଯଦି ବୈଜୟନ୍ତଙ୍କ ବିରୋଧରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସହାନୁଭୁତି ସାଂସଦଙ୍କ ସପକ୍ଷରେ ଯିବ କାରଣ, ଠିକ କଥା କହିଲେ ବୋଲି ତାଙ୍କୁ ଦଳରୁ ବାଦ ଦିଆଯାଇଥିବାର ବାର୍ତ୍ତା ଯିବ । ଆଉ ଅପରପକ୍ଷରେ ଯଦି ବୈଜୟନ୍ତ ଦଳ ଭିତରେ ରୁହନ୍ତି, ତେବେ ସିଧାସଳଖ ଦଳ ଭିତରେ ବିଶୃଙ୍ଖଳା କରି ବିଜେପିକୁ ଫାଇଦା ଦେବାକୁ ଉଦ୍ୟମ କରିପାରନ୍ତି । କେନ୍ଦ୍ରାପଡା ସାଂସଦଙ୍କର କିଛି ଏଭଳି ରଣନୀତି ରହିଥିବା ଅନୁମାନ କରାଯାଉଛି ।

bjd vs baijayanta ବୈଜୟନ୍ତଙ୍କୁ ଦଳରେ ଏଭଳି ବିରୋଧ କଣ ପାଇଁ ? କାହିଁକି ବିଜେଡିରେ ଦିନକୁ ଦିନ କୋଣଠେସା ହେଇଯାଉଛନ୍ତି ଏହି ବିଜୁ ଅମଳର ନେତା । ଏକଦା ଦଳରେ ପାୱାରଫୁଲ ଥିବା ବୈଜୟନ୍ତ ଏବେ କଣ ପାଇଁ ସୁପ୍ରିମୋଙ୍କ ବ୍ଲାକଲିଷ୍ଟରେ ରହିଛନ୍ତି । ଏହା ପଛର କାରଣ ବେଶ ସ୍ପଷ୍ଟ । ବୈଜୟନ୍ତ ଶଙ୍ଖ କ୍ୟାମ୍ପ ଛାଡି ପଦ୍ମ ପୋଖରୀକୁ ଯାଉଥିବା ନେଇ ଚାରିଆଡେ ଚର୍ଚ୍ଚା । ଆଉ ଏହି କଥାକୁ ନେଇ ଦଳ ଆଉ ଜୟଙ୍କୁ ଭରସି ପାରୁନାହିଁ । ଏପରିକି ବୈଜୟନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ମଧ୍ୟ ବଏକଟ କରିବା ପାଇଁ ଅନ୍ୟ ନେତାଙ୍କୁ କଡା ନିର୍ଦ୍ଦେଶ ମିଳିଥିବା ଚର୍ଚ୍ଚା ହେଉଛି । ଆଉ ଏହାର ପ୍ରତିଫଳନ ଗତବର୍ଷ ମାହାଙ୍ଗାରେ ଦେଖିବାକୁ ମିଳିଥିଲା । ଯେତେବେଳେ ବୈଜୟନ୍ତ ଏକ ପ୍ରକଳ୍ପର ଉଦଘାଟନ କରିବା ପାଇଁ ମାହାଙ୍ଗା ଯାଇଥିଲେ ସେତେବେଳେ ତାଙ୍କ ଉପରକୁ ଅଣ୍ଡା ମାଡ କରାଯାଇଥିଲା । ଶାସକ ଦଳର ସାଂସଦକୁ ଖୋଦ ଶାସକ ଦଳର କର୍ମୀ ଅଣ୍ଡାମାଡ କରିବା ଘଟଣାକୁ ନେଇ ସେତେବେଳେ ଜୋର ଚର୍ଚ୍ଚା ହୋଇଥିଲା । କିନ୍ତୁ ଅଭିଯୁକ୍ତଙ୍କୁ ଖୋଜିବା ତ ଦୂରର କଥା ଏ ବାବଦରେ ତଦନ୍ତ ମଧ୍ୟ କରାଗଲାନି । ଯାହା ବୈଜୟନ୍ତଙ୍କୁ ଲଜ୍ଜିତ କରିଥିଲା । ଯାହା ବୈଜୟନ୍ତଙ୍କ ପାଇଁ ଅସହ୍ୟ ଥିଲା । ଏଥିପାଇଁ ଟ୍ୱିଟ ବାଣରେ ଦଳକୁ ଘାଇଲା କରିବାକୁ ପଛାଇନଥିଲେ ଦଳର ଏହ ବରିଷ୍ଠ ତଥା ଅଭିଜ୍ଞ ନେତା । ବୈଜୟନ୍ତ ଟ୍ୱିଟ କରି କହିଥିଲେ, ଦଳ ଏବେ କିଛି ଅଫିସରଙ୍କ ନିୟନ୍ତ୍ରଣରେ ପରଚାଳିତ ହେଉଛି ।ଯାହାକୁ ନେଇ ବୈଜୟନ୍ତଙ୍କୁ ଦଳ ଭିତରେ ବିରୋଧର ସାମ୍ନା କରିବାକୁ ପଡିଥିଲା ।

baijayanta panda reaction ବିଜେଡି ବନାମ ବୈଜୟନ୍ତ ମହାବିବାଦର ମହାଅଧ୍ୟାୟ ଆରମ୍ଭ ହୋଇଥିଲା ଜାପାନରୁ । ଯେତେବେଳେ ମୋଦି ଜାପାନ ଯାତ୍ରା କରିଥିଲେ ସେତେବେଳେ ବୈଜୟନ୍ତ ମଧ୍ୟ ଜାପାନ ଯାଇଥିଲେ । ଆଉ ଜାପାନରୁ ଫେରିବା ପରେ ତାଙ୍କୁ ଦଳ ସନ୍ଦେହ ଚକ୍ଷୁରେ ଦେଖିଥିଲା । ଏପରିକି ଜାପାନରୁ ଫେରିବା ପରେ ଦଳ ପାଇଁ ଯେପରି ଅଛୁଆଁ ହୋଇଯାଇଥିଲେ ବୈଜୟନ୍ତ । ପାଖ ମାଡି ନଥିଲେ କୌଣସି ନେତା । କାରଣ ବୈଜୟନ୍ତଙ୍କ ସହ ସର୍ମ୍ପକ କାଟିବା ପାଇଁ ବୋଧହୁଏ ଆସିଥିଲା ନିର୍ଦ୍ଦେଶ । ଏହାପରେ ଅଧିକାଂଶ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଚର୍ଚ୍ଚା ହେଲା ବୈଜୟନ୍ତ ରୁଷିଛନ୍ତି, ଆଉ ଖୁବଶୀଘ୍ର ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇପାରନ୍ତି । କିନ୍ତୁ ଏହାକୁ ସେତେବେଳେ ଖଣ୍ଡନ କରିଥିଲେ ବୈଜୟନ୍ତ । କାରଣ ଦଳ ବଦଳ ନିରୋଧ ଆଇନ ଅନୁଯାୟୀ, କୌଣସି ନିର୍ବାଚିତ ପ୍ରତିନିଧି କାର୍ଯ୍ୟକାଳ ପୂରିବା ପୂର୍ବରୁ ଦଳ ବଦଳ କରିପାରିବେ ନାହିଁ । ଯଦି ଦଳ ବଦଳ କରିବେ ତେବେ ପଦ ହରାଇବେ । ହୁଏତ ସାଂସଦ ପଦ ହରାଇବା ଭୟରେ ଚୁପ ରହିଥିଲେ ବୈଜୟନ୍ତ । କିନ୍ତୁ ପରୋକ୍ଷରେ ଦଳ ବିରୋଧରେ ଆରମ୍ଭ କରିଥିଲେ ଟ୍ୱିଟ ୱାର । ବୈଜୟନ୍ତଙ୍କ ଆଚରଣ ଓ ଉଚ୍ଚାରଣରେ ହଠାତ ଦେଖାଦେଲା ପରିବର୍ତ୍ତନ । ଟ୍ୱିଟ ଓ ଖବରକାଗଜରେ ବିଜେଡି ସରକାରକୁ ସମାଲୋଚନା ଓ ବିଜେପି ତଥା ମୋଦିଙ୍କ କାର୍ଯ୍ୟକୁ ପ୍ରଂଶସା କରିବା ଦ୍ୱାରା ନବୀନ ତାଙ୍କ ଭିତରେ ଥିବା ଦୂରତା ଆହୁରି ବଢିଥିଲା । କିନ୍ତୁ ଏଥିରୁ କ୍ଷାନ୍ତ ହୋଇନଥିଲେ ବିଜେଡି ରାଜନୀତିର ଅବୁଝା ପୁଅ ଜୟ ।

baijayanta panda tweetଖାଲି ଏତିକି ନୁହେଁ, ଦଳ ବିରୋଧରେ ମନ୍ତବ୍ୟ ଓ ଲେଖା ଲେଖିବା କାରଣରୁ ନବୀନ ବୈଜୟନ୍ତଙ୍କୁ ଲୋକସଭାରେ ଦଳୀୟ ମୁଖପାତ୍ର ପଦରୁ ମଧ୍ୟ ହଟାଇଥିଲେ । ଯାହା ତାଙ୍କ ପାଇଁ ବେଶ ଅପମାନଜନକ ମଧ୍ୟ ଥିଲା । ମୁଖପାତ୍ର ପଦରୁ ହଟିବା ପରେ ନବୀନଙ୍କୁ ଯଦିଓ ସିଧାସଳଖ ସମାଲୋଚନା ନକରି କହିଥିଲେ, ଅନ୍ୟ ସାଂସଦ ଖବରକାଗଜରେ ଲେଖା ଲେଖୁଥିଲେ ବି ସେମାନଙ୍କ ବିରୋଧରେ ନିଆଯାଉନି କାର୍ୟ୍ୟାନୁଷ୍ଠାନ । ଏଥିସହ କହିଥିଲେ, ଯଦି ବିଜେଡି ସୁପ୍ରିମୋ ଏହି ନିଷ୍ପତି ନେଇଥାନ୍ତି ତାହେଲେ ସ୍ୱାଗତ କରିବି । ଅର୍ଥାତ୍ ନିଷ୍ପତି ପଛରେ ଆଉ କାହା ହାତ ଥାଇପାରେ ବୋଲି ସେ ଇଙ୍ଗିତ କରିଥିଲେ । ଏଭଳି କହି କିଛି ଅଫିସରଙ୍କୁ ଟାର୍ଗେଟ କରିଥିଲେ ବୈଜୟନ୍ତ ।

ତେବେ ଏଭଳି ବୟାନ ପରେ ତାଙ୍କ ଉପରକୁ ମାଡି ଆସିଲା କଳା ବାଦଲ । ନିଜକୁ ଦଳର ପ୍ରତିଷ୍ଠିତ ସଦସ୍ୟ କହୁଥିବା ବୈଜୟନ୍ତଙ୍କୁ, ବିଜୁ ଶତବାର୍ଷିକି କମିଟିରେ ମଧ୍ୟ ସ୍ଥାନ ମିଳିନଥିଲା । ଯାହା ବୈଜୟନ୍ତଙ୍କ ପାଇଁ ଜବରଦସ୍ତ ଝଟକା ଥିଲା । ଏଡି ଘଟଣା ପରେ ବୈଜୟନ୍ତ ବୁଝି ଯାଇଥିଲେ ଯେ, ଦଳ ତାଙ୍କୁ ଆଉ ଗୁରୁତ୍ୱ ଦେଉନାହିଁ । ସେତେବେଳେ ସେ ବିଜେଡି ଛାଡି ବିଜେପି ଦଳକୁ ଡେଇଁ ପାରନ୍ତି ବୋଲି ଚର୍ଚ୍ଚା ହେଲା । ଏହି ଚର୍ଚ୍ଚାରେ ବୈଜୟନ୍ତ ପୂର୍ଣ୍ଣଛେଦ ପକାଇ କହିଥିଲେ, ଦଳକୁ ସୁଦୃଢ କରିବା ହେଉଛି ତାଙ୍କର ଲକ୍ଷ୍ୟ । ଦଳର ପ୍ରତିଷ୍ଠା ଦିନଠାରୁ ସେ ଦଳରେ ଅଛନ୍ତି । ଦଳର ଉତଥାନ ଦେଖିଛନ୍ତି । ଏବେ ଦଳ ଯେତେବେବେଳେ ଅସୁବିଧାରେ ପଡିଛି ସେ ଦଳକୁ ପରାମର୍ଶ ଦେଉଥିଲେ । କିନ୍ତୁ ତାଙ୍କ କଥାକୁ ଅନର୍ଥ କରି କିଛି ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ନବୀନ ସେମାନଙ୍କୁ ବେଳ ଥାଉ ଥାଉ ଚିହ୍ନିବା ଆବଶ୍ୟକ ବୋଲି କହିଥିଲେ ।

ଏସବୁ ବ୍ୟତୀତ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ବୈଜୟନ୍ତ ଦେଇଥିବା ମତାମତ ଦଳକୁ ଅଧିକ ଅଡୁଆରେ ପକାଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ବୈଜୟନ୍ତ କହିଥିଲେ ଦଳକୁ ଏବେ ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଦଳ ପଞ୍ଚାୟତ ନିର୍ବାଚନର ଫଳାଫରୁ କିଛି ଶିଖିବା ଆବଶ୍ୟକ । ଦଳ ଏବେ କିଛି ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛି । ତେଣୁ ଏଭଳି ପରିସ୍ଥିତି ହେଲା ବୋଲି କହି ଦଳକୁ ଚେତାଇ ଦେଇଥିଲେ । ବୈଜୟନ୍ତଙ୍କ ଏହି ବୟାନ ବିଜେପିକୁ ବେଶ ସୁହାଇଥିଲା । ଆଉ ଏହି ବୟାନ ଉପରେ ଖପ୍ପା ହୋଇଥିଲେ ନବୀନ । ଏହାପରେ ବୈଜୟନ୍ତଙ୍କୁ ନିଜ ନିବାର୍ଚନ ମଣ୍ଡଳୀ କେନ୍ଦ୍ରାପଡାରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡିଥିଲା । ଏପରିକି ମହାକାଳପଡାକୁ ନ ଆସିବା ପାଇଁ ବିଜେଡି କର୍ମୀ ଜୟଙ୍କୁ ସିଧାସଳଖ ଚେତାବନୀ ମଧ୍ୟ ଦେଇଥିଲେ ।

baijayanta panda likely to join bjpଏକଦା ନବୀନଙ୍କ ଏକାନ୍ତ ଅନୁଗତ ଥିବା ବୈଜୟନ୍ତ ଏବେ ଦଳ ପାଇଁ ବୋଝ ପାଲଟିଛନ୍ତି । ବୈଜୟନ୍ତଙ୍କ ବୟାନ ବାରମ୍ବାର ଦଳକୁ ଅଡୁଆରେ ପକାଉଛି । ତେଣୁ ତାଙ୍କ ମୁହଁରେ ତୁଣ୍ଡି ଦେବା ପାଇଁ ଦଳୀୟ ମୁଖପାତ୍ରରୁ ମଧ୍ୟ ହଟାଇଥିଲେ । କିନ୍ତୁ ବୈଜୟନ୍ତ ଚୁପ ହୋଇନଥିଲେ । ବୈଜୟନ୍ତଙ୍କ ଏଭଳି ପରିବର୍ତ୍ତନ ଦେଖି ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭି ମଧ୍ୟ ବୈଜୟନ୍ତ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଦାବି କରିଥିଲା । ତେବେ କେଉଁ ସୁତ୍ରକୁ ଆଧାର କରି ଜାତୀୟ ଗଣମାଧ୍ୟମ ଏଭଳି ଦାବି କରିଲା ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି । କିନ୍ତୁ ଜାତୀୟ ଗଣମାଧ୍ୟମରରେ ଏଭଳି ଦାବି ଉଠିବା ପରେ ବୈଜୟନ୍ତ ବିଜେପି ଲିଙ୍କରେ ରହିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଟ୍ୱିଟ୍ କରି ଦଳକୁ ଜ୍ଞାନ ପାଠ ପଢାଉଥିବା ବୈଜୟନ୍ତ କିନ୍ତୁ ଏ ବାବଦରେ ସମ୍ପୂର୍ଣ୍ଣ ନିରବ ରହିବାକୁ ଶ୍ରେୟସ୍କର ମଣିଥିଲେ ।

ଏବେ ନଜର ପକାନ୍ତୁ, ଗତ କିଛି ଦିନ ଧରି କିଭଳି ରହିଥିଲା ବୈଜୟନ୍ତଙ୍କ ବିବାଦୀୟ ମତ ଓ ମନ୍ତବ୍ୟ ।
– ଯାଜପୁର ନେତା ଅମର ନାୟକ ଓ କୋରାପୁଟ ବିଜେଡିରୁ ନିଲମ୍ବିତ ନେତା ଜୟରାମ ପାଙ୍ଗି ବିଜେପିରେ ଯୋଗଦେବା ପରେ ଟ୍ୱିଟ କରି ବୈଜୟନ୍ତ କହିଥିଲେ, ଏନେଇ ସେ ସପ୍ତାହେ ପୂର୍ବରୁ ଚେତାଇଥିଲେ କିନ୍ତୁ କିଛି ହେଲା ନାହିଁ । ମନ୍ତ୍ରିମଣ୍ଡଳରେ ଅନେକ ଜିଲ୍ଲାର ନେତା ସ୍ଥାନ ନପାଇବାରୁ ଅସନ୍ତୋଷ ବଢୁଛି ।
– କନ୍ଧମାଳ ବାଲିଗୁଡାରେ ବୈଜୟନ୍ତ କହିଥିଲେ ବିଜେଡିରୁ ଯେଉଁମାନଙ୍କୁ ବିଦା କରାଯାଇଛି ସେମାନଙ୍କ ବିରୋଧରେ କରାଯାଇଥିଲା ଷଡଯନ୍ତ୍ର ।
– ପଂଚାୟତ ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ବୈଜୟନ୍ତଙ୍କ ଖବରକାଗଜ ଲେଖା ଥିଲା ଖୁବ କଡା । ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲେ । କିପରି ଦଳ ଗଢିଥିବା ନେତାଙ୍କୁ ଅଣଦେଖା କରାଯାଉଛି ତାହା ମଧ୍ୟ ଉଲ୍ଲେଖ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ।
– ଏହାପରେ ଟ୍ୱିଟ ସିରିଜ ଜରିଆରେ ସଫେଇ ରଖିଥିଲେ, ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲି । ହେଲେ ଦଳରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭ୍ରାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ନବୀନ ପଟ୍ଟନାୟକ ଏହାକୁ ଚିହ୍ନଟ କରିବା ସହ ଜରୁରୀ ପଦକ୍ଷେପ ନେଇ ଦଳର ପ୍ରକୃତ ଶକ୍ତିର ଅଭ୍ୟୁଦୟ କରିବେ ।
– ବିଜେଡିର ଆଉ ଜଣେ ସାଂସଦ ତଥାଗତ ଶତପଥୀଙ୍କ ସହ ଟ୍ୱିଟର ଲଢେଇକୁ ଓହ୍ଲାଇ ଆସିଥିଲେ ବୈଜୟନ୍ତ । ବିଜେଡି ବିଭାଜନ ନେଇ ଦିଲ୍ଲୀରେ କିଛି ନେତା ପ୍ରୟାସ କରୁଛନ୍ତି ବୋଲି ତଥାଗତଙ୍କ ଟ୍ୱିଟରରେ ଲେଖିଥିବା ବେଳେ, ବୈଜୟନ୍ତ ଏହାକୁ ନିଜ ଉପରକୁ ନେଇ ତଥାଗତଙ୍କୁ ପରୋକ୍ଷରେ ଲେଖିଥିଲେ, ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।
– ଅଫିସରଙ୍କ ସ୍ୱଛତା ଉପରେ ବୈଜୟନ୍ତ ଉଠାଇଥିଲେ ସବୁଠାରୁ ବଡ ପ୍ରଶ୍ନ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଆଇଏଏସ ଅଫିସର ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ତାଙ୍କୁ ବାହାର କରାଯିବା ଦରକାର । ଜଣେ ବ୍ୟକ୍ତି ଟ୍ୱିଟ୍ କରିଥିଲେ, କର୍ଣାଟକର ମାଇନିଂ ସ୍କାମରେ ଆଇଏଏସ ଅଫିସର ଲାଂଚ ନେଇ ନିଜ ପୁଅର ବିଳାସ ବ୍ୟସନ ପାଇଁ ଖର୍ଚ୍ଚ କରିଥିଲେ । ଏହାରି ଉପରେ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦ ଲେଖିଥିଲେ, ର୍ଦୁଭାଗ୍ୟର କଥା ଏଭଳି ଆଇଏଏସ ଅଫିସର ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନଙ୍କୁ ବାହାର କରିବା ଦରକାର । ନବୀନ ଯେପରି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କଲେ ସେହିପରି ଆଇଏଏସଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦରକାର । ଦଳ ଓ ସରକାର ଭଳି ଆଇଏଏସଙ୍କ ଉପରେ ମଧ୍ୟ ପଦକ୍ଷେପ ଜରୁରୀ ।

Baijayanta pandaଏଭଳି କିଛି ବିବାଦୀୟ ମତ ଆଉ ମନ୍ତବ୍ୟକୁ ନେଇ କୁହାଯାଉଥିଲା, ରାଜ୍ୟରେ ବିଜେପିର ବଢୁଥିବା ଶକ୍ତି ଆଉ ବୈଜୟନ୍ତଙ୍କ ଦଳ ଭିତରେ କମୁଥିବା ଲୋକପ୍ରିୟତା ତାଙ୍କୁ ପଦ୍ମ ପୋଖରୀ ଆଡେ ଢଳିବାକୁ ବାଧ୍ୟ କରୁଛି ।ତେବେ ବିଜେଡି ଭିତରେ ବୈଜୟନ୍ତଙ୍କ ଆଚରଣ ଯେ ବିଭିଷଣ ଭଳି, ଏଥିରେ କୈାଣସି ଦ୍ୱନ୍ଦ୍ୱ ରାଜନୈତିକ ମହଲରେ ନାହିଁ । ତେବେ ବଡ କଥା ହେଉଛି, ଯେଉଁ ସବୁ କାର୍ଯ୍ୟକଳାପ ବୈଜୟନ୍ତଙ୍କୁ ନେଇ ଦଳ ଭିତରେ ବିରୋଧ କରାଯାଉଛି, ଏବାବଦରେ ନବୀନ ଅବଗତ ଅଛନ୍ତି ତ? ନବୀନ ଜାଣିଛନ୍ତି ତ ସାଂସଦଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧ ପ୍ରଦର୍ଶନ କରାଯାଉଛି? ଶାସକ ଦଳର ମନ୍ତ୍ରୀଙ୍କ ବିନା ଇଂଗିତରେ ତାଙ୍କ କର୍ମୀ କଣ ସାଂସଦଙ୍କୁ ବିରୋଧ କରିବାକୁ ସାହାସ କରିପାରିବେ? ଏମିତି ଅନେକ ଦିଗ ଏବେ ସାମ୍ନାକୁ ଆସୁଛି । ଦଳ ଭିତରେ ବଢୁଥିବା ଏହି ବିବାଦ ୨୦୧୯ ଆଗରୁ ଏକ ନିର୍ଣ୍ଣାୟକ ମୋଡ ନେବାର ଅନୁମାନ କରାଯାଉଥିବା ବେଳେ, ବୈଜୟନ୍ତ କିନ୍ତୁ ଆର୍ ପାରର ଲଢେଇ ଆରମ୍ଭ କରିଛନ୍ତି ।