ଫାଇଭ-ଜି ଆସିଲେ ଦ୍ରୁତ ହେବ ଇଣ୍ଟରନେଟ ସେବା । ଶୀଘ୍ର ହୋଇପାରିବ ଅପଲୋଡ ଓ ଡାଉନଲୋଡ

127

କନକ ବ୍ୟୁରୋ : ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ପାଦ ଆଗେଇଲା ଭାରତ । ଦେଶରେ ଫାଇଭ୍-ଜି’ର ହେଲା ସଫଳ ପରୀକ୍ଷା । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଆଇଆଇଟି ମାଡ୍ରାସରେ ଏହି ପରୀକ୍ଷା କରାଯାଇଛି । ସମ୍ପୂର୍ଣ୍ଣ ଦେଶୀ କୌଶଳ ଓ ପ୍ରଯୁକ୍ତିରେ ଏହାର ଡିଜାଇନ କରାଯାଇଛି । ନିଜେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏହାର ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଫାଇଭ୍-ଜି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି । ଏହା ଲାଗୁ ହେବା ପରେ ଅନଲାଇନ୍ ସେବା ଆହୁରି ତ୍ୱରାନ୍ୱିତ ହେବ । ଭିଡିଓ ଡାଉନଲୋଡ ଖୁବଶୀଘ୍ର ହୋଇପାରିବ ।

କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଫାଇଭ୍-ଜିକୁ ବ୍ୟବହାର କରାଯାଇ ପାରିବ । ଘରୋଇ ଟେଲିକମ୍ କମ୍ପାନୀମାନେ ମଧ୍ୟ ଫାଇଭ୍-ଜି ନେଇ ପରୀକ୍ଷଣ କରୁଛନ୍ତି । ଜିଓ ଓ ଏୟାରଟେଲ ଏନେଇ କାମ ଆଗକୁ ବଢ଼ାଉଛନ୍ତି । ବିଶ୍ୱର ଅନେକ ନାମୀଦାମୀ କମ୍ପାନୀ ମଧ୍ୟ ଫାଇଭ୍-ଜିର ପରୀକ୍ଷା କରୁଛନ୍ତି । ସାମସଙ୍ଗ, ନାକିଆ, ଇନଟେଲ, ହ୍ୱେଏଇ, ଏରିକସନ ପରି କମ୍ପାନୀ ଏକ୍ଷେତ୍ରରେ ଅଗ୍ରଗତି ମଧ୍ୟ କରିଛନ୍ତି । ଚୀନ୍, ଆମେରିକା, ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଏବେ ଏହି ପ୍ରଯୁକ୍ତିରେ ଭାରତ ଠାରୁ ଆଗରେ ଅଛନ୍ତି ।

ଇଣ୍ଟରନେଟ୍ ପାଇଁ ବରଦାନ ୫-ଜି

– ୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବପେଜ୍
– ଅର୍ଥାତ୍ ୫-ଜିର ଲେଟେନ୍ସି ୧ ମିଲିସେକେଣ୍ଡରୁ ବି କମ୍ ରହିବ
– ୫ଜିର ସ୍ପିଡ୍ ବର୍ତ୍ତମାନର ସ୍ପିଡଠାରୁ ଢେର ଅଧିକ ହେବ
– ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନଲୋଡ୍ କିମ୍ବା ଅପଲୋଡ୍ କରିହେବ
– ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ
– ଏକାଧିକ ଡିଭାଇସକୁ ଇଣ୍ଟରନେଟ୍ ସହ ଯୋଡାଯାଇ ପାରିବ
– ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
– ଜୁମ୍ କଲ କରିବା ସମୟରେ କେବେବି ଅସୁବିଧା ହେବ ନାହିଁ
– ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ
– ପିଲାଙ୍କ ଅନଲାଇନ୍ ପାଠପଢା ସହ ସୁବିଧାରେ ହୋଇପାରିବ କର୍ମଚାରୀଙ୍କ କନଫେରେନ୍ସ
– ୫ଜି ନେଟୱର୍କ ଦ୍ୱାରା ଟେଲି ସର୍ଜରୀରେ ମଧ୍ୟ ସୁବିଧା ହେବ