କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଯୋଗାଡ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମମତା ବାନାର୍ଜୀଙ୍କ ପରେ ଆଜି ଉଦ୍ଧବ ଠାକରେଙ୍କ ସହ ଭେଟ

106

କନକ ବ୍ୟୁରୋ : ଦିଲ୍ଲୀରେ ଅଫିସରଙ୍କ ବଦଳି ଓ ନିଯୁକ୍ତି ପ୍ରସଙ୍ଗ ଉପରେ ରାୟ ଉପରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି । ହେଲେ ଦିଲ୍ଲୀ ସରକାରରେ ଥିବା ଆମ୍ ଆଦମୀ ପାର୍ଟି ଏହାର ବିରୋଧ କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କ ସମର୍ଥନ ଯୋଗାଡ କରିବାକୁ ଜଣଙ୍କ ପରେ ଜଣେ ନେତାଙ୍କୁ ଭେଟୁଛନ୍ତି ।

ମଙ୍ଗଳବାର ଦିନ କେଜ୍ରିୱାଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି କ୍ରମରେ ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ମୁମ୍ବାଇରେ ପହଂଚିଛନ୍ତି । ସେହିଭଳି ଗୁରୁବାର ଦିନ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରସଙ୍ଗରେ ସୋମବାର ଦିନ କଂଗ୍ରେସ ତରଫରୁ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ମିଳିଥିଲା । କଂଗ୍ରେସ ମହାସଚିବ ବେଣୁଗୋପାଳ କହିଥିଲେ କି, ଯଦି କେନ୍ଦ୍ର ସରକାର ମୌସୁମୀ ଅଧିବେଶନରେ ଏହି ଅଧ୍ୟାଦେଶ ସଂସଦରେ ଆଣନ୍ତି ତେବେ ଏହାକୁ କଂଗ୍ରେସ ବିରୋଧ କରିବ ।

ମଙ୍ଗଳବାର ଦିନ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଭେଟ ପରେ ମିଳିତ ଭାବେ ଗଣମାଧ୍ୟମ ସହ କଥା ହୋଇଥିଲେ । ମମତା ବାନାର୍ଜୀ କହିଥିଲେ କି କେନ୍ଦ୍ର ସରକାରଙ୍କର ଗର୍ବ ବଢିଯାଇଛି । କେନ୍ଦ୍ର ସରକାର ଭାବୁଛନ୍ତି ଯେ ମୁଖ୍ୟମନ୍ତ୍ରୀମାନେ ଗୋତି ଶ୍ରମିକ । ଏହା ସହ ମମତା କହିଥିଲେ କି ‘ମୋର ଚିନ୍ତା ହେଉଛି କି ଏହି ସରକାର କାଳେ ସମ୍ବିଧାନ ବଦଳାଇ ଦେଶକୁ ବିକ୍ରି କରିଦେବ’