ଇସ୍ତଫା ଦେଲେ ବାଚସ୍ପତି ନିରଞ୍ଜନ ପୂଜାରୀ ! ସଚିବାଳୟ ତୃତୀୟ ମହଲାରେ ଯୁବମନ୍ତ୍ରୀଙ୍କ ଭିଡ

38

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦବଦଳ ପୂର୍ବରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପୂଜାରି । ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଚାଲିଥିବା ଚର୍ଚା ଭିତରେ ଏଭଳି ଘଟଣା ସାମ୍ନାକୁ ଆସିଛି । ବିଧାନସଭାରେ ପହଁଚି ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ନିରଞ୍ଜନ । ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟାରେ କହିଛନ୍ତି, ନିଜ ନିର୍ବାଚନ କ୍ଷେତ୍ରରେ ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ କାମ କରିବେ । ଏପଟେ ନବୀନଙ୍କ ନୁଆ ଟିମରେ ନିରଞ୍ଜନ ସାମିଲ ହୋଇପାରନ୍ତି ବୋଲି ଆକଳନ କରାଯାଉଛି ।

ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ପାୱାର କରିଡରରେ ଦେଖିବାକୁ ମିଳିଛି ଯୁବ ମନ୍ତ୍ରୀମାନଙ୍କ ଭିଡ । ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ଗତକାଲି ସନ୍ଧ୍ୟାରେ ହଠାତ୍ ସଚିବାଳୟ ତୃତୀୟ ମହଲାରେ ପହଁଚିଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଏମାନଙ୍କୁ ଅବ୍ୟାହତି ଦିଆଯାଇପାରେ ବୋଲି ଚର୍ଚା ଭିତରେ ତୃତୀୟ ମହଲାରେ ଉପସ୍ଥିତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନବୀନଙ୍କ ସହ କଣ ଆଲୋଚନା ହେଲା ସେନେଇ ଗଣମାଧ୍ୟମରେ କେହି କିଛି ପ୍ରକାଶ କରିନାହାନ୍ତି ।