ଆର୍ମି ଭର୍ତ୍ତି ରାଲି ପାଇଁ ବର୍ଷରେ ଗୋଟିଏ ଥର ଆବେଦନ କରିପାରିବେ ଆଶାୟୀ, କମନ ଏଣ୍ଟ୍ରାନ୍ସ ଟେଷ୍ଟ ସମେତ ଆସୁଛି ନିୟମ

152

କନକ ବ୍ୟୁରୋ : ଭାରତୀୟ ସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏବେ ଅଶାୟୀମାନେ ବର୍ଷକୁ କେବଳ ଗୋଟିଏ ଥର ନିଯୁକ୍ତି ରାଲି ପାଇଁ ଆବେଦନ କରିପାରିବେ । କେବଳ ସେତିକି ନୁହେଁ ଏବେ ଶାରିରୀକ ପରୀକ୍ଷା ପୂର୍ବରୁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ହେବ । କମନ୍ ଏଣ୍ଟ୍ରାନ୍ସ ଟେଷ୍ଟରେ ଯୋଗ୍ୟ ବିବେଚିତ ହେଲେ ପ୍ରାର୍ଥୀଙ୍କୁ ଶାରିରୀକ ଓ ମେଡିକାଲ ପରୀକ୍ଷା ପାଇଁ ଚୟନ କରାଯିବ ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରାଜସ୍ଥାନର ଉପ ମହାନିର୍ଦ୍ଦେଶକ (ସେନା ନିଯୁକ୍ତି) ବ୍ରିଗେଡିୟର ଜଗଦୀପ ଚୌହାନ କହିଛନ୍ତି କି ଆଶାୟୀମାନେ ନିଯୁକ୍ତି ରାଲିରେ ଭାଗ ନେବା ପାଇଁ ବର୍ଷକୁ ମାତ୍ର ଗୋଟିଏଥର ଆବେଦନ କରିପାରିବେ । ଏହାସହ ପୂର୍ବରୁ ପ୍ରଥମେ ଶାରିରୀକ ପରୀକ୍ଷା ଓ ପରେ କମନ ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିବା ବେଳେ ଏବେଠାରୁ ପ୍ରଥମେ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା ଓ ପରେ ଫିଜିକାଲ ଓ ମେଡିକାଲ ପରୀକ୍ଷା କରାଯିବ ।

ସେନା ନିଯୁକ୍ତି ରାଲିରେ ଭାଗନେବା ପାଇଁ ଆଶାୟୀଙ୍କୁ ପ୍ରତିବର୍ଷ ଫେବୃଆରୀ ୧୬ ତାରିଖରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡିବ । ନୂଆ ନିଯୁକ୍ତିି ପ୍ରଣାଳୀର ପ୍ରଥମ ପର୍ଯ୍ୟାୟରେ ଅଧିସୂଚନା, ଅନଲାଇନ୍ ପଞ୍ଜିକରଣ, ଆଡମିଟ କାର୍ଡ, ଅନଲାଇନ ସାଧାରଣ ପ୍ରବେଶ ପରୀକ୍ଷା, ପରୀକ୍ଷା ଫଳ ଓ କଲ୍-ଅପ୍ ସାମିଲ ରହିବ ।

ସେହିଭଳି ଦ୍ୱତୀୟ ପର୍ଯ୍ୟାୟରେ ଆଡମିଟ୍ କାର୍ଡ, ବାୟୋମେଟ୍ରିକ ଭେରିଫିକେଶନ, ଫିଜିକାଲ ଫିଟନେସ୍ ଟେଷ୍ଟ, ଫିଜିକାଲ ମେଜରମେଣ୍ଟ ଟେଷ୍ଟ, ମେଡିକାଲ ପରୀକ୍ଷା ଓ ପରେ ଫାଇନାଲ ମେରିଟ୍ ଲିଷ୍ଟ ଜାରି କରାଯିବ ।

ସମ୍ପୂର୍ଣ୍ଣ ପ୍ରକ୍ରିୟା ଆଧାରରେ ପ୍ରଥମେ ନିଯୁକ୍ତି ପାଇଁ ଅଧିସୂଚନା ଜାରି କରାଯିବ । ଏହାପରେ ଆଶାୟୀମାନଙ୍କୁ ଅନଲାଇନ ପଞ୍ଜିକରଣ କରିବାକୁ ପଡିବ । ଏହାପରେ ବିଭାଗ ତରଫରୁ ଆଡମିଟ୍ କାର୍ଡ ଜାରି କରାଯିବ । ଏହାପରେ ବିଭାଗ ତରଫରୁ ସ୍ଥିର କରାଯାଇଥିବା ସ୍ଥାନରେ ଆଶାୟୀମାନଙ୍କୁ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ଏହି ସାଧାରଣ ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନଙ୍କ ପାଇଁ ଫିଜିକାଲ ଫିଟନେସ୍ ଟେଷ୍ଟ ଓ ମେଡିକାଲ ଟେଷ୍ଟ ଦେବାକୁ ପଡିବ ।

କେନ୍ଦ୍ର ଶାସନ କ୍ଷମତାରେ ଥିବା ଏନଡିଏ ସରକାର ଗତବର୍ଷ ସେନାର ୩ଟି ବିଭାଗରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଏହାପରେ ଚଳିତ ବର୍ଷ ଅଗ୍ନିପଥ ଯୋଜନାରେ ନିଯୁକ୍ତି ନିୟମର ବଡ ପରିବର୍ତନ କରାଯାଇଛି । ଏହି ପରୀକ୍ଷାରେ ଭାଗନେବା ପାଇଁ ଯୋଗ୍ୟତା ପରୀକ୍ଷାର ନିୟମରେ ବଡ ପରିବର୍ତ୍ତନ କରିଛନ୍ତି । ଏବେ ଅଗ୍ନିପଥ ଯୋଜନାରେ ଆଇଟିଆଇ ଓ ପଲିଟେକନିକ୍ ପାସ କରିଥିବା ପିଲାମାନେ ଆବେଦନ କରିପାରିବେ । କେବଳ ସେତିକି ନୁହେଁ ଏଥିରେ ଏବେ ଟ୍ରେନିଂ ଟାଇମ ବି କମ କରାଯାଇଛି । ଏତେ ସବୁ ପରିବର୍ତ୍ତନ ପରେ ଏବେ ଅଧିକରୁ ଅଧିକ ଆଶାୟୀମାନେ ସେନାରେ ନିଯୁକ୍ତି ପାଇପାରିବେ ବୋଲି ଆଶା କରାଯାଉଛି ।