ଆଇପିଏଲ ଛାଡ ଓ ନିଜ ଦେଶର ସମର୍ଥନ କର । କାହିଁକି ଏମିତି କହିଲେ ରଣତୁଙ୍ଗା ।

220

କନକ ବ୍ୟୁରୋ : ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଏବେ ରାଜ କରୁଛି ମହଙ୍ଗା । କିଏ ଖାଇବାକୁ ପାଉନି ତ ପୁଣି କାହାକୁ ମିଳୁନି ମେଡିସିନ । ଏଭଳି ସ୍ଥିତିରେ ଦେଶରେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ରାଜପକ୍ଷେ ପରିବାର ଦେଶ ଛାଡି ଚାଲିଯାଆନ୍ତୁ ବୋଲି ସ୍ୱର ଉଠିଛି । ଏସବୁ ଭିତରେ ଶ୍ରୀଲଙ୍କାର କିଛି କ୍ରିକେଟର ଓ ପୂର୍ବତନ କ୍ରିକେଟର ଆଇପିଏଲ ପାଇଁ ଭାରତରେ ଡେରା ପକାଇଛନ୍ତି । ପୂର୍ବତନ କ୍ରିକେଟର ସାଙ୍ଗାକାରା, ଜୟବର୍ଦ୍ଧନେ, ମାଲିଙ୍ଗାଙ୍କ ସମେତ ଏବେ କ୍ରିକେଟ ଖେଳୁଥିବା ଭାନୁକା ରାଜପକ୍ଷେ, ଦୁଷ୍ମନ୍ତ ଚାମିରା, ହସରଙ୍ଗା ଭାରତରେ ଡେରା ପକାଇଛନ୍ତି । ଆଉ ଦେଶର ଏଭଳି ସଙ୍କଟଜନକ ସ୍ଥିତିରେ ସାଙ୍ଗାକାରା, ଜୟବର୍ଦ୍ଧନେ, ଭାନୁକା ରାଜପକ୍ଷେଙ୍କ ଭଳି ଖେଳାଳୀ ଶ୍ରୀଲଙ୍କା ପାଇଁ ସ୍ୱର ଉଠାଇଛନ୍ତି । ଏସବୁ ଭିତରେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ତଥା ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା କହିଛନ୍ତି, ଆଇପିଏଲ ଖେଳୁଥିବା ସମସ୍ତ ଖେଳାଳୀ ଆଗକୁ ଆସିବା ସହ ଦେଶର ସମର୍ଥନରେ ବାହାରିବା ଆବଶ୍ୟକ । କାରଣ ଏଭଳି ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ ଆଇପିଏଲରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ଦେଶ ସପକ୍ଷରେ ପଦୁଟିଏ କହୁନାହାନ୍ତି ।

ଏବେ ଶ୍ରୀଲଙ୍କାର ଅନେକ ପ୍ରତିଷ୍ଠିତ ଲୋକ ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରି ପାରୁନାହାନ୍ତି । ଏପରିକି କିଛି କ୍ରିକେଟର ନିଜର ଚାକିରି ବଞ୍ଚାଇବାକୁ ମୁହଁ ଖୋଲିବାକୁ ଡରୁଛନ୍ତି । କିନ୍ତୁ ଏବେ ସମୟ ଆସିଛି ସେମାନେ ମୁହଁ ଖୋଲନ୍ତୁ । କାରଣ ଏବେ କିଛି ଯୁବ କ୍ରିକେଟର ଦେଶରେ ହେଉଥିବା ବିରୋଧକୁ ସମର୍ଥନ କରିବା ସହ ଦେଶ ପାଇଁ ସ୍ୱର ଉଠାଇଛନ୍ତି ।

ଏହାସହ ରଣତୁଙ୍ଗା କହିଛନ୍ତି, ଯଦି କିଛି ଭୁଲ ହେଉଛି ତେବେ ନିଜ ବ୍ୟବସାୟ ଓ ଅର୍ଥ ବାବଦରେ ଚିନ୍ତା ନକରି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ।