କୁନୋ ଜାତୀୟ ପାର୍କରେ ଆଉ ଏକ ଚିତାର ମୃତ୍ୟୁ : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ‘ଉଦୟ’; ମୃତ୍ୟୁର କାରଣ ଅସ୍ପଷ୍ଟ

154

କନକ ବ୍ୟୁରୋ : ମଧ୍ୟପ୍ରଦେଶ କୁନୋ ଜାତୀୟ ପାର୍କରେ ବିଦେଶରୁ ଆସିଥିବା ଆଉଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାଁ ଉଦୟ, ଯାହାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ତା’ର ମୃତ୍ୟୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ୧୨ ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ସେଥିମଧ୍ୟରେ ଉଦୟ ମଧ୍ୟ ଥିଲା । ଭେଟେନାରୀ ଟିମ୍ ସୋମବାର ଉଦୟ ମୃତଦେହର ପୋଷ୍ଟମର୍ଟମ କରିବେ ।

ସୂଚନା ଅନୁସାରେ, କୁନୋରେ ଚିତାର ଏହା ଦ୍ୱିତୀୟ ମୃତ୍ୟୁ । ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ପାର୍କରେ ୨୦ ଚିତା ଅଣାଯାଇଥିଲା, ଯେଉଁଥିରୁ ଏବେ ୧୮ ଜୀବିତ ଅଛନ୍ତି । ତେବେ ଭାରତକୁ ଆସିବାର ଦୁଇମାସ ଭିତରେ ଦୁଇଟି ଚିତାର ମୃତ୍ୟୁ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହା ପୂର୍ବରୁ ନାମିବ୍ୟାରୁ ଆସିଥିବା ମାଈ ଚିତା ସାଶା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ମାର୍ଚ୍ଚ ୨୭ ତାରିଖରେ ଆଖି ବୁଜିଥିଲା ।