ଓଡିଶାରେ ପହଂଚିଲା ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝାଙ୍କ ମରଶରୀର । କଟକରେ ଶେଷ ଦର୍ଶନ । କେନ୍ଦ୍ରାପଡାର ପୈତୃକ ଗାଁକୁ ଯିବ ଶୋଭାଯାତ୍ରା

112

କନକ ବ୍ୟୁରୋ : ଓଡିଶାରେ ପହଂଚିଛି ପ୍ରଖ୍ୟାତ ନାଟ୍ୟକାର ତଥା ଯାତ୍ରା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ମରଶରୀର । ବିମାନବନ୍ଦରରେ ବହୁ ନେତାମନ୍ତ୍ରୀ ତାଙ୍କ ଶେଷ ଦର୍ଶନ କରିଛନ୍ତି । ଏହାପରେ ବିମାନବନ୍ଦରରୁ ଅନନ୍ତଙ୍କ ମରଶରୀରକୁ କଟକ ଅଭିମୁଖେ ନିଆଯାଇଛି । କଟକରେ କିଛି ସମୟ ପାଇଁ ଅନନ୍ତ ଓଝାଙ୍କ ଶେଷ ଦର୍ଶନ କରିବେ ଯାତ୍ରାପ୍ରେମୀ । ଏହାପରେ ତାଙ୍କୁ ତାଙ୍କ ବାସଭବନ ଅଭିମୁଖେ ନିଆଯିବ । ବାଟରେ କେତେକ ସ୍ଥାନରେ ଯାତ୍ରା ଲେଖକଙ୍କ ଶେଷ ଦର୍ଶନ ପାଇଁ କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରାପଡା ବଜାରରୁ ଏକ ଶୋଭାଯାତ୍ରା ବାହାରି ପୈତୃକ ଗାଁ କେନ୍ଦ୍ରାପଡା ଜିଲ୍ଲା ନିଳକଂଠପୁର ଯାଏଁ ଯିବ । ସେଠାରେ ତାଙ୍କର ଶେଷକୃତ୍ୟ ହେବ । ୫୯ ବର୍ଷ ବୟସରେ ବେଙ୍ଗାଳୁରୁରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଓଡିଶା ନାଟ୍ୟ ଜଗତକୁ ଅନେକ ସୁପରହିଟ୍ ନାଟକ ଭେଟି ଦେଇଛନ୍ତି ଅନନ୍ତ ଓଝା । ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ଭଲ ମଣିଷ ଖୋଜା ଚାଲିଛି, ମୋ ପେଁକାଳି ବଜେଇ ଦେ, ଛତା ଚିହ୍ନରେ ଭୋଟ୍ ଦିଅ, ହରେକୃଷ୍ଣ ହରେରାମ, ଅସତ୍ୟ ସହର, ଆକାଶବାଣୀ କଟକ, ବଜାରୀ ବୁଢା, ଜୀଅନ୍ତା ଶବ, ମୁଇଁ ସମ୍ବଲପୁରୀ ନନୀ, ବିଦେଶିନୀ ଓ କଳିଯୁଗ ତୋତେ ନମସ୍କାର ଇତ୍ୟାଦି ନାଟକ ଅନନ୍ତଙ୍କ କାଳଜୟୀ କୃତି ମଧ୍ୟରୁ ଅନ୍ୟତମ ।

ଓଡିଆ ଯାତ୍ରା ଜଗତର ବାଦଶାହା କୁହାଯାଉଥିବା ଗତ ୩ ଦଶନ୍ଧି ଧରି ନାଟକ ପାଇଁ ଲେଖନୀ ଚଳାଇ ଆସିଥିବା ଅନନ୍ତ ଓଝାଙ୍କର ଆହୁରି ଅନେକ ନାଟକ ପାଣ୍ଡୁଲିପି ଏବେ ମଧ୍ୟ ଅପ୍ରକାଶିତ ଅବସ୍ଥାରେ ରହିଛି । ନାଟ୍ୟ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୭୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି ସେ । ନାଟ୍ୟ ରଚନା ସହ ଅନେକ ନାଟକରେ ନିଜ ନିର୍ଦ୍ଦେଶନାର ଛାପ ମଧ୍ୟ ଛାଡି ଦେଇ ଯାଇଛନ୍ତି ଅନନ୍ତ ଓଝା । ଅପ୍ରତିଦ୍ୱନ୍ଦୀ ନାଟ୍ୟକାର ଅନନ୍ତଙ୍କ ଅବର୍ତମାନରେ ତାଙ୍କୁ ଝୁରୁଛି ଜଲିଉଡ୍ । ଖାଲି ଯାତ୍ରା କଳାକାର କିମ୍ବା ଯାତ୍ରା ସହ ସଂପୃକ୍ତ ବ୍ୟକ୍ତି ବିଶେଷ ନୁହଁନ୍ତି, ଅନନ୍ତ ଓଝାଙ୍କୁ ଜାଣିଥିବା ଓଡିଶାର ଅଗଣିତ କଳାପ୍ରେମୀ ଦର୍ଶକ ବି ଝୁରୁଛନ୍ତି ଏହି କାଳଜୟୀ ଲେଖକଙ୍କୁ ।

ବାଙ୍ଗାଲୋରରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ଅନନ୍ତଙ୍କର ପରଲୋକ ହୋଇଥିଲା । ଦୀର୍ଘଦିନ ଧରି ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ ।କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ନୀଳକଣ୍ଠପୁର ଗ୍ରାମର ଅନନ୍ତ ଥିଲେ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ । ଦୀର୍ଘ ଦଶନ୍ଧି ଧରି ସେ ନିଜର କଲମ ଚାଳନା କରି ଯାତ୍ରା ଜଗତକୁ ଦେଇଥିଲେ ଏକ ନୂଆ ଦିଗନ୍ତ ଓ ପରିଚୟ । ଯାହାଙ୍କର ସୃଜନଶୀଳତାରେ ଝଲସୁଥିଲା ଯାତ୍ରା ମଂଚ । ସେ ତିଆରି କରିଥିଲେ ଅନେକ କଳାକାର ।

ଓଡିଶା ମଂଚ ନାଟକକୁ ୧୬୦ରୁ ଅଧିକ ନାଟକର ଉପହାର ଦେଇଥିବା ନାଟ୍ୟକାର ଅନନ୍ତ ଓଝା କର୍କଟ ରୋଗରେ ପଡି ଅସହାୟ ହୋଇଯାଇଥିଲେ । ନିଜସ୍ୱ ଯାତ୍ରା ନାଟକରେ ଭିନ୍ନ ଭିନ୍ନ ଚରିତ୍ର ସୃଷ୍ଟି କରି ଅଗଣିତ ଯାତ୍ରା ଦର୍ଶକଙ୍କୁ ରାତିରାତି ଉଜାଗର ରଖିପାରୁଥିବା ଅନନ୍ତ ଓଝା ବାସ୍ତବ ଜୀବନରେ ନିଦ କଣ ଭୁଲିଯାଇଥିଲେ ।ଅନେକ ସଫଳ ନାଟକ ଓ ଫିଲ୍ମର ସଂଳାପ ଲେଖିଥିଲେ ସେ । ୨୦୧୩ରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ଏସିପି ସାଗରିକାର ସଂଳାପ ଲେଖିଥିଲେ ଶ୍ରୀଯୁକ୍ତ ଓଝା ।