ବନ୍ଧୁ ହେବ ତ ଏମିତି । ସାଙ୍ଗ ପାଇଁ ଘର ଘର ବୁଲି ଭିକ ମାଗିଲେ ସାଙ୍ଗ । ବୁସୀରାଙ୍କ ମୁହଁରେ ଫୁଟାଇଲେ ହସ ।

48

ଓଡିଆରେ ଗୋଟିଏ ଢଗ ଅଛି “ ବିପଦ ବେଳର ବନ୍ଧୁ ପ୍ରକୃତ ବନ୍ଧୁ “ । କିନ୍ତୁ ଏହାର ସତ୍ୟତା ଦେଖିବାକୁ ମିଳିଛି ମୁମ୍ବାଇରେ । ଜଣେ ସାଙ୍ଗ ପାଇଁ ଭିକ ମାଗିଛନ୍ତି ଅନ୍ୟସାଙ୍ଗ । ଗରିବୀ ତଥା ବାପା ମାଆ ପାଠପଢା ଖର୍ଚ୍ଚ ବହନ କରିନପାରିବାରୁ ଷଷ୍ଠ ଶ୍ରେଣୀ ଅଧାରୁ ପାଠ ଛାଡିଥିଲେ ବୁସୀରା ସେଖ । ବୁସୀରାଙ୍କ ହଠାତ ପାଠ ଛାଡିବା ତାଙ୍କ ସାଙ୍ଗମାନଙ୍କୁ ମାନସିକ ଆଘାତ ଦେଇଥିଲା । ସେମାନେ ନିଜ ସାଙ୍ଗର ଅନୁପସ୍ଥିତିକୁ ଅନୁଭବ କରିଥିଲେ । କିନ୍ତୁ ଚୁପ ହୋଇବସିନଥିଲେ ।

ମୁମ୍ବାଇ ସ୍ଥିତ ମାଲୱାନୀ ବସ୍ତି ଅଂଚଳରେ ଥିବା “ହୋଲି ମଦର ସ୍କୁଲ “ଛାତ୍ରୀ ଥିଲେ ବୁସୀରା । ମୁମ୍ବାଇର ଏହି ସ୍କୁଲରେ ସବୁଠାରୁ କମ ଟଙ୍କାରେ ପାଠପଢା ଯାଏ । କିନ୍ତୁ ବୁସୀରାଙ୍କ କ୍ଷେତ୍ରରେ ସେତିକି ବି ସମ୍ଭବ ହୋଇନଥିଲା । ତାଙ୍କ ବାପା ମା ଅତି ଗରିବ ହୋଇଥିବାରୁ ବୁସୀରାଙ୍କୁ ଅଧାରୁ ପାଠ ଛାଡିବାକୁ ପଡିଥିଲା ।

ତେବେ, ତାଙ୍କ ସାଙ୍ଗମାନେ ଚୁପ ବସି ନ ଥିଲେ। ସେମାନେ ଚାହୁଁଥିଲେ, ବୁସୀରା ପୁଣି ଥରେ ସ୍କୁଲ ଆସନ୍ତୁ। ପାଞ୍ଚ ସାଙ୍ଗ ବସ୍ତିରେ ବୁଲିବୁଲି କିଛି ଟଙ୍କା ଯୋଗାଡ଼ କରିବାରୁ, ବୁସୀରାଙ୍କ ହସହସ ମୁହଁ ପୁଣି ଥରେ ସ୍କୁଲରେ ଦେଖିବାକୁ ମିଳିଲା। ଏହି ସଫଳତା, ସ୍କୁଲ୍ ଛାଡ଼ୁଥିବା ଅନ୍ୟ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିଥିଲା। ସେମାନଙ୍କୁ ସାହାଯ୍ୟ କରିଥିଲେ ‘ଟିଚ ଫର ଇଣ୍ଡିଆ’ର ଫେଲୋ ଜସମିନ ବାଲା। ବାଲାଙ୍କ ଉଦ୍ୟମରେ ସେମାନେ ଗଢ଼ିଛନ୍ତି ‘ପ୍ରୋଜେକଟ ବାଳିକା’।

ମୁଖ୍ୟ ଲକ୍ଷ୍ୟ, ଆର୍ଥିକ କାରଣରୁ ସ୍କୁଲ୍ ଛାଡ଼ୁଥିବା ଝିଅଙ୍କ ସହାୟତା। ଏହା ଛଡ଼ା ସେମାନେ ସପ୍ତାହରେ ଦୁଇ ଦିନ ନିରକ୍ଷର ମହିଳାଙ୍କୁ ପଢ଼ାଉଛନ୍ତି। ଝିଅଙ୍କୁ ଇଂରେଜୀ କହିବା ଶିଖାଉଛନ୍ତି। ଗୋଟିଏ ବର୍ଷରେ ଏହି ଗୋଷ୍ଠୀ ଦ୍ୱାରା ଦୁଇ ଶହ ସ୍ଥାନୀୟ ବାଳିକା ଉପକୃତ ହେଲେଣି। ଆଗାମୀ ବର୍ଷ ଏହି ସଂଖ୍ୟା ପାଞ୍ଚ ଶହ ଟପିବ ବୋଲି, ସେମାନେ ଆଶା କରୁଛନ୍ତି।