ଆମ ଓଡିଶାର ପ୍ରତିଶୃତି ! ପଂଚାୟତ ନିର୍ବାଚନ ପାଇଁ ଦଳ ଜାରିକଲା ଇସ୍ତାହାର

88

କନକ ବ୍ୟୁରୋ : ଖଣ୍ଡପଡା ଜୋନ-୬ ଓ ୭ ନିର୍ବାଚନ ମଣ୍ଡଳୀରେ ଆମ ଓଡିଶା ପାର୍ଟି ସମର୍ଥୀତ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି ଦଳର ସଭାପତି ସୌମ୍ୟରଂଜନ ପଟ୍ଟନାୟକ । ଏଥିପାଇଁ ଦଳ ପକ୍ଷରୁ ଏକ ଘୋଷଣାପତ୍ର ପ୍ରକାଶ କରାଯାଇଛି । ଓଡିଶାର ସାର୍ବାଙ୍ଗୀନ ବିକାଶ, ନାରୀର ସୁରକ୍ଷା, ଓଡିଆ ଭାଷାର ସୁରକ୍ଷା, ବେକାରୀ ସମସ୍ୟା ଦୂରୀକରଣ ଏବଂ ନିଶାମୁକ୍ତ ଓଡିଶା ଗଠନ କରିବା ଦଳର ପ୍ରଧାନ ଲକ୍ଷ୍ୟ ବୋଲି କୁହାଯାଇଛି ।

ସେପଟେ ଖଣ୍ଡପଡା ଅଂଚଳର ବିକାଶ ପାଇଁ ମଧ୍ୟ ୧୩ ଦଫା ଘୋଷଣା ପତ୍ର ଜାରି କରିଛି ଆମ ଓଡିଶା ପାର୍ଟି । ପ୍ରତିଯୋଗ୍ୟ ପରିବାରକୁ ଘର ଓ ଶୌଚାଳୟ ଯୋଗାଇବା । ପ୍ରତିଘରକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାର ଉନ୍ନତି ସହ ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା, ପ୍ରତି ଗାଁରେ ସୁବ୍ୟବସ୍ଥିତ ପାଠାଗାର ପ୍ରତିଷ୍ଠା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି ।

ଏହାସହ ଦଳ ଗାଁରେ ଶିଶୁ ଉଦ୍ୟାନ, ବହୁମୁଖୀ ସ୍ପୋର୍ଟସ କମ୍ପେ୍ଲକ୍ସ ଓ ପାର୍କ ପ୍ରତିଷ୍ଠା, ପତିତ ଜମି ଉଦ୍ଧାର ସହ ପ୍ରତି ପଂଚାୟତରେ ସାମାଜିକ ଓ ଆର୍ଥିକ ବନାନୀ ସୃଷ୍ଟି କରିବା ପାଇଁ ଘୋଷଣାପତ୍ରରେ ଉଲ୍ଲେଖ କରିଛି । ପୁରାଜନ ଜଳ ଉତ୍ସହର ସୁରକ୍ଷା ସହ ନୂତନ ଜଳ ଉତ୍ସ ସୃଷ୍ଟି, ଜଳ ନିଷ୍କାସନ ପାଇଁ ଯୋଜନା, ଶିକ୍ଷିତ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହ କର୍ମନିଯୁକ୍ତି ପ୍ରଦାନ କରିବାକୁ ଦଳ ଗୁରୁତ୍ୱ ଦେଇଛି ।

ସବୁ ଦିନିଆ ପକ୍କା ରାସ୍ତା ନିର୍ମାଣ ଓ ସରକାରୀ ବିଦ୍ୟାଳୟଗୁଡିକରେ ଶିକ୍ଷାର ମାନ ଉନ୍ନତି କରିବା ପାଇଁ ଆମ ଓଡିଶା ପାର୍ଟି ପ୍ରଚେଷ୍ଟା କରିବ ବୋଲି ଇସ୍ତାହାରରେ କୁହାଯାଇଛି । ଦଳର ଚିହ୍ନ ବାଳକ-ବାଳିକାରେ ଭୋଟ ଦେଇ ଦଳର ସମର୍ଥୀତ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦେଇଛନ୍ତି ଦଳ୍ର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ।