ମୁଁ ୪୫ ବର୍ଷ ହେଲାଣି ବିବାହ କଲିଣି, ଏବେ କାହା ଉପରେ ରାଗ ଆସୁନି । ଜଗଦୀପ ଧନଖଡଙ୍କ କଥା ଶୁଣି ହାସ୍ୟରୋଳରେ ଫାଟି ଉଠିଲା ରାଜ୍ୟସଭା ।

461

କନକ ବ୍ୟୁରୋ : ହୋ ହଲ୍ଲା, ହଟ୍ଟଗୋଳ ଭିତରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ଦିଲ୍ଲୀ ବିଧେୟକକୁ ନେଇ ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ରାଜ୍ୟସଭାରେ ସ୍ୱାଭାବିକ ଭାବେ ଚାଲିଛି । ତେବେ ରାଜ୍ୟସଭାରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନେ ଖଡଗେ ନିଜ ଭାଷଣ ରଖିବା ସହ କହିଛନ୍ତି, ସଭାପତି କାହିଁକି କେଜାଣି ମୋ ଉପରେ ନାରାଜ ଅଛନ୍ତି । ଯାହାର ଜବାବରେ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି, ମୁଁ ୪୫ ବର୍ଷ ହେଲା ବିବାହ କରିଛି । ଏବେ ମୁଁ କାହା ଉପରେ ରାଗୁନି । ଜଗଦୀପ ଧନଖଡଙ୍କ ଏହି କଥା ଶୁଣିବା ପରେ ରାଜ୍ୟସଭାରେ କିଛି ସମୟ ପାଇଁ ସମସ୍ତଙ୍କ ମୁହଁରେ ସ୍ମିତହାସ୍ୟ ଦେଖିବାକୁ ମିଳିଥିଲା ।

ଏହାପରେ ମଲ୍ଲିକାର୍ଜୁନେ ଖଡଗେ କହିଥିଲେ, ରାଜ୍ୟସଭା ଅଧ୍ୟକ୍ଷ ପ୍ରଧନାମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି । କିନ୍ତୁ ଏଭଳି କାହିଁକି କରୁଛନ୍ତି ତାହା ଜଣାନାହିଁ । ଯାହାର ଜବାବରେ ଜଗଦୀପ ଧନଖଡ କହିଥିଲେ, ମୋତେ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାର ଆବଶ୍ୟକତା ନାହିଁ । ମୋତେ କାହାକୁ ବି ବଞ୍ଚାଇବାର ଆବଶ୍ୟକତା ନାହିଁ । ମୋତେ ସମ୍ବିଧାନ, ଆପଣଙ୍କର ଅଧିକାରକୁ ରକ୍ଷା କରିବାର ଆବଶ୍ୟକତା ରହିଛି । ବିରୋଧୀ ଦଳ ନେତାଙ୍କ ଏଭଳି ମନୋଭାବ ଠିକ୍ ନୁହେଁ । ଭାରତ ଏବେ ବିକାଶ ପଥରେ ଆଗକୁ ବଢୁଛି, ଏହାର ପ୍ରଭାବ ଆର୍ନ୍ତଜାତୀୟ ସ୍ତରରେ ଦେଖିବାକୁ ମିଳୁଛି ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୃହରେ ବାରମ୍ବାର ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗୃହକୁ ଆସନ୍ତୁ ଏବଂ ମଣିପୁର ହିଂସା ଉପରେ ବୟାନ ରଖନ୍ତୁ । ତେବେ ଏହାର ଜବାବରେ ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ, ସଂସଦରେ କୌଣସି ମୁଦ୍ଦା ଉପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଥାନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ହିଂସା ଉପରେ ଉତ୍ତର ରଖିବାକୁ ପ୍ରସ୍ତୁତ । ତେଣୁ ବିରୋଧୀ ଯେଉଁ ଦାବି କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ।