ଅଙ୍ଗନୱାଡି ଚାକିରି ପାଇଁ ଲାଞ୍ଚ ମାଗି ଅଡ଼ୁଆରେ ଧାମନଗର ସିଡିପିଓ : ଟଙ୍କା ମାଗୁଥିବାର ଅଡିଓ କ୍ଲିପ ଭାଇରାଲ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସୁଷମା ପ୍ରଧାନ

1,044

କନକ ବ୍ୟୁରୋ : ଲାଞ୍ଚ ଦିଅ ଚାକିରି ନିଅ । ଅଙ୍ଗନବାଡ଼ି ଚାକିରି ଦେବା ନାଁରେ ଜଣେ ଆବେଦନକାରୀଙ୍କୁ ଧାମନଗର ସିଡିପିଓ ଲାଞ୍ଚ ମାଗିବାର ଅଡ଼ିଓ ଏବେ ଭାଇରାଲ ହେଉଛି । ଅଧିକ ମାର୍କ ରଖି ଅଙ୍ଗନବାଡ଼ି ଚାକିରି ପାଇଁ ଆବେଦନ କରିଥିବା ଯୁବତୀ ଜଣଙ୍କ ଟଙ୍କା ଦେଇନପାରିବାରୁ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତିି ।

ସୂଚନା ଅନୁସାରେ ଭଦ୍ରକ ଧାମନଗର ବ୍ଲକ ଧୂଷୁରୀ ପଛାଲୋ ପ୍ରଧାନସାହିର ଅଙ୍ଗନବାଡ଼ି କର୍ମୀ ପାଇଁ ଗତ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଗାଁର ସୁଷମା ପ୍ରଧାନଙ୍କ ସହିତ ସୁମନ ପ୍ରିୟଦର୍ଶନୀ ମଳିକ ଓ ଅନ୍ୟ ତିନିଜଣ ଆବେଦନ କରିଥିଲେ । ତେବେ ଚୟନ ପ୍ରକ୍ରିୟାକୁ କେନ୍ଦ୍ରକରି ଆରମ୍ଭ ହୋଇଥିଲା ବିବାଦ । ଏହି ବିବାଦ ପରେ ଆବେଦନକାରୀ ମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ଭଦ୍ରକ ଉପଜିଲ୍ଲାପାଳଙ୍କୁ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ଅଙ୍ଗନବାଡ଼ି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଥିବା ବେଳେ ଏବେ +୨ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ନେଇ ସରକାର ନିୟମ କରିଛନ୍ତି ।

ତେବେ ଗତ ଦୁଇ ଦିନ ତଳେ ଧାମନଗର ସିଡିପିଓ ନମିତା ଦାସ, ସୁଷମା ପ୍ରଧାନଙ୍କୁ ଫୋନ କରି ତୁମର ଅଧିକ ମାର୍କ ଥିବାରୁ ନିଯୁକ୍ତି ପାଇଁ ଯୋଗ୍ୟ ବୋଲି କହିବା ସହ ନିଯୁକ୍ତି ପୂର୍ବରୁ କିଛି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଯାହାର ଅଡ଼ିଓ ଏବେ ଭାଇରାଲ ହେଉଛି । ସୁଷମା ଗରିବ ପରିବାରର ହୋଇଥିବାରୁ ଟଙ୍କା ଦେଇପାରିବେନି ବୋଲି କହିବାରୁ ସେ ଚାକିରି ପାଇପାରିବେନି ବୋଲି ସିଡିପିଓ କହିଥିଲେ । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ନିରପକ୍ଷ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଳାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।