ଭାରତରେ ଖେଳାଯିବ ବିଶ୍ୱକପ, ଆସିବ ତ ପାକିସ୍ତାନ? ଜାଣନ୍ତୁ ଆଇସିସିକୁ କଣ କହିଲା ପିସିବି?

1,452

କନକ ବ୍ୟୁରୋ : ଅକ୍ଟୋବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଭାଗ ନେବ ତ ପାକିସ୍ତାନ? କ୍ରିକେଟପ୍ରେମୀଙ୍କ ମନରେ ଏବେ ଏଭଳି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । କାରଣ ପାକିସ୍ତାନରେ ଏସିଆ କପ୍ ଆୟୋଜନ ହେଲେ ଭାରତ ପାକିସ୍ତାନକୁ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ସୁରକ୍ଷା ସମ୍ବନ୍ଧୀୟ କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିସିସିଆଇର ଏଭଳି ନିଷ୍ପତ୍ତି ପରେ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ କି ନାହିଁ ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । ଏସବୁ ଭିତରେ ଆଇସିସିର ଅଧ୍ୟକ୍ଷ ଓ ସିଇଓ ଏବେ ପାକିସ୍ତାନ ଗସ୍ତରେ ଯାଇ ଭାରତ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପିସିବି ନିଜ ଟିମ୍ ପଠାଇବ କି ନାହିଁ ସେନେଇ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଚାହୁଁଛନ୍ତି । କେବଳ ଏତିକି ନୁହେଁ ବିଶ୍ୱକପରେ ନିଜ ମ୍ୟାଚ୍ ପାଇଁ ହାଇବ୍ରିଡ ମଡେଲ ଲାଗୁ କରିବା ଉପରେ ପାକିସ୍ତାନ ଯେପରି ଜୋର ନଦେବ ତାହା ନିଶ୍ଚିତ କରୁଛନ୍ତି ।

ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଇସିସିକୁ ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଶ୍ୱକପ ଖେଳିବାକୁ ପାକିସ୍ତାନ ଟିମକୁ ଭାରତ ପଠାଇବାକୁ ପିସିବି ଚାହୁଁଛି । କିନ୍ତୁ ଏ ବାବଦରେ ସରକାରଙ୍କ ନିଷ୍ପତ୍ତି ପାଳନ କରାଯିବ । ଯଦି ପାକିସ୍ତାନ ସରକାର ରାଜି ହୁଅନ୍ତି ତେବେ ବିଶ୍ୱକପ ଖେଳିବାକୁ ପାକ୍ ଦଳ ଭାରତ ଯିବ । କିନ୍ତୁ ଯଦି ସରକାର ରାଜି ନ ହୁଅନ୍ତି ତେବେ ପାକିସ୍ତାନ ଟିମ୍ ହାଇବ୍ରିଡ ମଡେଲରେ ଅନ୍ୟ କୌଣସି ନିରପେକ୍ଷ ସ୍ଥାନରେ ବିଶ୍ୱକପ ଖେଳିପାରେ । କିନ୍ତୁ ଏହି ହାଇବ୍ରିଡ୍ ମଡେଲ କଣ ଯାହାକୁ ନେଇ ଆଇସିସି ଏତେ ଚିନ୍ତିତ ।

ଚଳିତବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ୍ ଆୟୋଜନ ହେବାର ଅଛି । କିନ୍ତୁ ଏସିଆ କପ୍ ଖେଳିବାକୁ ପାକିସ୍ତାନକୁ ଟିମ୍ ଇଣ୍ଡିଆ ଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯେଉଁଥିପାଇଁ ପାକିସ୍ତାନ ଏବେ ହାଇବ୍ରିଡ ମଡେଲ ଉପରେ ଜୋର ଦେବା ଆରମ୍ଭ କରିଛି । ଏହି ହାଇବ୍ରିଡ ମଡେଲ ଅନୁଯାୟୀ ଏସିଆ କପର ଅନ୍ୟ ସବୁ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ କିନ୍ତୁ ଭାରତ ନିଜ ମ୍ୟାଚ୍ ଅନ୍ୟ ଦେଶ କିମ୍ବା ନିରପେକ୍ଷ ସ୍ଥାନରେ ଖେଳିବ । ଏହି ମଡେଲକୁ ମଧ୍ୟ ବିସିସିଆଇ ସମେତ ଅନ୍ୟ କ୍ରିକେଟ ବୋର୍ଡ ସମର୍ଥନ କରୁନାହାନ୍ତି । କାରଣ ଏହାଦ୍ୱାରା ଟ୍ରାଭେଲିଂରେ ଖେଳାଳୀଙ୍କର ଅଧିକ ସମୟ ଯିବ । ଯେଉଁଥିପାଇଁ  ଅନ୍ୟ ଦେଶ କିମ୍ବା ନିରପେକ୍ଷ ଭେନ୍ୟୁରେ ଏସିଆ କପ ଆୟୋଜନ ହେଉ ବୋଲି ଚାହୁଁଛି ବିସିସିଆଇ । କିନ୍ତୁ ଆୟୋଜକ ଅଧିକାର ହରାଇଲେ ଏସିଆ କପରେ ଭାଗ ନେବନି ବୋଲି ପାକିସ୍ତାନ ଧମକ ଦେଉଛି । ଯେଉଁଥିପାଇଁ ହାଇବ୍ରିଡ ମଡେଲ ଲାଗୁ କରିବାକୁ ପିସିବି ପକ୍ଷରୁ ଜୋର ଦିଆଯାଉଛି ।

ପିସିବିର ଏହି ହାଇବ୍ରିଡ ମଡେଲ ଏବେ ଆଇସିସି ଓ ବିସିସିଆଇକୁ ଚିନ୍ତାରେ ପକାଇଛି । ବିଶ୍ୱକପ୍ ପୂର୍ବରୁ ପିସିବି ଏହି ହାଇବ୍ରିଡ୍ ମଡେଲ ବିକଳ୍ପ ଏସିଆ କପ୍ ପାଇଁ ଦେଇଛି । କିନ୍ତୁ କୌଣସି କ୍ଷେତ୍ରୀୟ ଦେଶ ସମୂହର ଟୁର୍ଣ୍ଣାମେଣ୍ଟ ପାଇଁ ଯଦି ହାଇବ୍ରିଡ ମଡେଲକୁ ଆପଣାଯାଏ ତେବେ ବିଶ୍ୱକପରେ ମଧ୍ୟ ଏହି ମଡେଲ ଲାଗୁ କରିବାକୁ ଆଇସିସି ଉପରେ ଚାପ ପକାଇପାରେ ପିସିବି । ହାଇବ୍ରିଡ ମଡେଲରେ ବିଶ୍ୱକପ ଖେଳାଗଲେ ଏହାର ରୋମାଞ୍ଚ ସେତେଟା ଅଧିକ ରହିବନି । ଆଉ ବିଶ୍ୱକପରେ ଏଭଳି ସ୍ଥିତି ଉପୁଜୁ ତାହା ଚାହୁଁନି ଆଇସିସି ।