ମୁହଁ ଖୋଲିଲେ ଶିଳ୍ପାଙ୍କ ସ୍ୱାମୀ । କହିଲେ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିତରଣ କରିବାରେ ମୋର ହାତ ନାହିଁ । 

125

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଅଶ୍ଲୀଳ ଫିଲ୍ମ ନିର୍ମାଣ ଓ ବିତରଣ ପାଇଁ ଜେଲରେ ରହି ଫେରିଥିବା ରାଜ କୁନ୍ଦ୍ରା ପ୍ରଥମ ଥର ପାଇଁ ନିଜ ଉପରେ ଲାଗିଥିବା ଆରୋପ ଉପରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ମୁଁ ଅଶ୍ଲୀଳ ଫିଲ୍ମ ନିର୍ମାଣ ଓ ବିତରଣ ସହ ଜଡ଼ିତ ନୁହେଁ। ମୋ ଉପରେ ଲାଗିଥିବା ଆରୋପ ବିଚାରଧୀନ ଥିବାରୁ ମୁଁ ଏହା ଉପରେ ବିଶେଷ କିଛି କହିପାରିବି ନାହିଁ। ମୁଁ ବିଚାରର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ଯେଉଁଠାରେ ଶେଷରେ ସତ୍ୟର ବିଜୟ ହେବ । ହେଲେ, ମୁଁ ପୂର୍ବରୁ ଗଣମାଧ୍ୟମ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇସାରିଛି। ବିଭିନ୍ନ ସ୍ତରରେ ମୋର ମାନବିକ ତଥା ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରାଯାଇଛି। ଏବେ ଆଉ ମୁଁ ମିଡିଆ ଟ୍ରାଏଲ ଚାହେଁନାହିଁ। ମୋ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି ରାଜ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଡିସେମ୍ବର ୧୬ରେ କୁନ୍ଦ୍ରାଙ୍କୁ ୪ ସପ୍ତାହ ସୁରକ୍ଷା ପ୍ରଦାନ କରିଥିଲେ। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ  କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ନଭେମ୍ବର ୨୫ରେ ହାଇକୋର୍ଟ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କୁନ୍ଦ୍ରା ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ ଯେ, ଏପରି ଚଳଚ୍ଚିତ୍ର ନିର୍ମାଣ କିମ୍ବା ପ୍ରସାରଣ ନେଇ ସେ ଅବଗତ ନଥିଲେ। ଏହି ମାମଲାରେ ତାଙ୍କୁ ଭୁଲ୍‌ ବଶତଃ ଜଡ଼ିତ କରାଯାଇଛି ।