ତୱାଙ୍ଗ ସେକ୍ଟରରେ ଚୀନ ସହ ସଂଘର୍ଷ ପରେ ଶକ୍ତି ଦେଖାଇବ ବାୟୁସେନା । ଏଲଏସି ନିକଟରେ ଗର୍ଜିବ ସୁଖୋଇ, ରାଫେଲ । ଆଜିଠୁ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ

135

କନକ ବ୍ୟୁରୋ : ତୱାଙ୍ଗ ନିକଟରେ ସଂଘର୍ଷ ପରେ ଆଜି ଚୀନ ସୀମାରେ ଗର୍ଜିବ ଭାରତ ବାୟୁସେନାର ସୁଖୋଇ, ରାଫେଲ ସମେତ ଫ୍ରଂଟଲାଇନ୍ ଲଢୁଆ ବିମାନ । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ ସେନାକୁ ତାରି ଭାଷାରେ ଜବାବ ଦେବାକୁ ଯୋଜନା କରିଛି ଭାରତୀୟ ବାୟୁସେନା । ଚୀନ ସେନା ବିରୋଧରେ ଆଜିଠୁ ଭାରତ-ତିବତ ସୀମାରେ ସମାରଭ୍ୟାସ ଆରମ୍ଭ ହେବ, ଯାହା ଦୁଇ ଦିନ ଧରି ଚାଲିବ । ଯେଉଁଥିରେ ଏୟାରଫୋର୍ସର ଲଢୁଆ ବିମାନ, ହେଲିକପ୍ଟର ଓ ପରିବହନ ବିମାନ ସାମିଲ ହେବେ ।

ବଡକଥା ହେଉଛି, ଏବେ ସୀମାରେ ହଟସ୍ପଟ ପାଲଟିଥିବା ଅଂଚଳରେ ଏହି ସାମରିକ ଅଭ୍ୟାସ କରିବ ଭାରତ । ଏହାଦ୍ୱାରା ଭାରତୀୟ ବାୟୁସେନା ନିଜ ଶକ୍ତି ଓ ସାମର୍ଥ୍ୟକୁ ପରଖିବ ଏବଂ ସୀମାରେ ଉତ୍ପାତ କରୁଥିବା ଚୀନକୁ ମଧ୍ୟ କଡା ସନ୍ଦେଶ ମିଳିବ । ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନ୍ୟଙ୍କ ଗଣ୍ଡଗୋଳ ପରେ ଏହି ଯୁଦ୍ଧାଭ୍ୟାସର ଗୁରୁତ୍ୱ ବଢିଯାଇଛି । ଏହି ଯୁଦ୍ଧାଭ୍ୟାସର ମୂଳ ଉଦ୍ଦେଶ୍ୟ, ଜରୁରୀ ପରିସ୍ଥିତିରେ ବାୟୁସେନା କେତେ ଶୀଘ୍ର ଶତ୍ରୁପକ୍ଷର ଆକ୍ରମଣକୁ ପ୍ରତିହତ କରି ପାଲଟା ଆକ୍ରମଣ କରିପାରିବ, ସେହି କ୍ଷମତାର ପରୀକ୍ଷଣ । ଏଥିରେ ପୂର୍ବୋତର ଅଂଚଳର ସମସ୍ତ ଫ୍ରଂଟଲାଇନ ଏୟାରବେସ ଓ ପ୍ରମୁଖ ଆଡଭାନସ ଲାଣ୍ଡିଙ୍ଗ ଗ୍ରାଉଣ୍ଡ ବ୍ୟବହାର କରିବ ବାୟୁ ସେନା ।

ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ, ଏୟାରଫୋର୍ସର ଏହି ସମରାଭ୍ୟାସ ଚାବୁଆ, ହାସିମାରା, ଜୋରହାଟ ଓ ତେଜପୁର ଏୟାରବେସରେ ହେବ । ଏହି ମିଲିଟ୍ର ଡ୍ରିଲକୁ ପରିଚାଳନା କରିବ ଇଷ୍ଟର୍ଣ୍ଣ କମାଣ୍ଡ । ଯାହାର ଦାୟିତ୍ୱ ଚୀନ, ବାଂଲାଦେଶ, ମିଆଁମାର ସୀମାକୁ ସୁରକ୍ଷିତ ରଖିବା । ତୱାଙ୍ଗ ସେକ୍ଟରରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ବିଫଳ କରିବା ପରେ ଭାରତର ଯୁଦ୍ଧାଭ୍ୟାସ ଚୀନ ପାଇଁ କଡା ସନ୍ଦେଶ ବୋଲି କୁହାଯାଉଛି ।