ଜିଦରେ କୁସ୍ତିଯୋଦ୍ଧା : ବ୍ରିଜଭୂଷଣ ସିଂହଙ୍କୁ ପଦରୁ ହଟାଇବା ସହ ଗିରଫ ଦାବି; ନଚେତ୍ ଧାରଣାରୁ ନ ଓହରିବାକୁ ରେସଲରଙ୍କ ଧମକ

114

କନକ ବ୍ୟୁରୋ : ଭାରତୀୟ ରେସଲିଂ ଫେଡରେସନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ’ଙ୍କ ବିରୋଧରେ ଶେଷରେ ରୁଜୁ ହେଲା ଏଫଆଇଆର । ସୁପ୍ରିମକୋର୍ଟଙ୍କ ତାଗିଦ ପରେ କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗୋଟିଏ ଏଫଆଇଆର ପକସୋ ଆକ୍ଟରେ କରାଯାଇଥିବାବେଳେ, ଦ୍ୱିତୀୟ ଏଫଆଇଆରଟି ଅନ୍ୟ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ହୋଇଛି । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା । ତାପରେ କୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ । ଅଭିଯୋଗ କରିବା ସତ୍ୱେ କ’ଣ ପାଇଁ ମାମଲା ରୁଜୁ କରାଯାଇନି ବୋଲି ପ୍ରଶ୍ନ କରିଥିଲେ କୋର୍ଟ ।

ଏହାର ଜବାବ ରଖି ଦିଲ୍ଲୀ ପୁଲିସ କହିଥିଲା କୌଣସି ଏତଲା ପୂର୍ବରୁ ପ୍ରାରମ୍ଭିକ ତଦନ୍ତର ଆବଶ୍ୟକତା ରହିଛି । ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା କହିଥିଲେ ଦିଲ୍ଲୀ ପୁଲିସ ଉପରେ ତାଙ୍କର ଭରସା ନାହିଁ । ଏଥିସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ସେମାନଙ୍କ ଫୋନ ଉଠାଉନଥିବା ଅଭିଯୋଗ କରିଥିଲେ । ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପଦରୁ ହଟାଇବା ସହ ନିରପେକ୍ଷ ତଦନ୍ତ ଦାବିରେ, ୭ ଦିନ ହେଲା ଶହ ଶହ ସଂଖ୍ୟକ କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ମଧ୍ୟ ସମର୍ଥନ ବଢ଼ିବାରେ ଲାଗିଛି ।

ଅଭିନେତ୍ରୀ ସ୍ୱରା ଭାସ୍କର, ଉର୍ମିଲା ମାତୋଣ୍ଡକର ଟୁଇଟର ଭିଡିଓ ଜାରି କରି କୁସ୍ତିଯୋଦ୍ଧାଙ୍କ ସମର୍ଥନ ଜଣାଇଛନ୍ତି । କ୍ରିକେଟର ବିରେନ୍ଦ୍ର ସେହେୱାଗ, ଟେନିସ ଖେଳାଳୀ ସାନିଆ ର୍ମୀଜା, ଆଥଲେଟ ନୀରଜ ଚୋପ୍ରା ଓ ଅନ୍ୟ କିଛି ଖେଳାଳୀ ସମର୍ଥନ ଜଣାଇଛନ୍ତି । ଜାନୁଆରୀ ୧୮ ତାରିଖରେ ୩ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ସହ ବଜରଙ୍ଗ ପୁନିଆ ମିଡିଆ ସାମ୍ନାକୁ ଆସି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ପରେ କ୍ରୀଡା ମହାସଂଘ କମିଟି ଗଠନ କରି ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ରେସଲର ଅଭିଯୋଗ କରିଛନ୍ତି ୩ମାସ ପୂରି ଯାଇଥିଲେ ସୁଦ୍ଧା ସେମାନଙ୍କୁ ନ୍ୟାୟ ମିଳୁନି । ଏପ୍ରିଲ ୨୧ରେ ବ୍ରିଜଭୁଷଣ ବିରୋଧରେ ମାମଲା ରୁଜୁ କରିବା ପାଇଁ ରେସଲର ଯାଇଥିଲେ ସୁଦ୍ଧା ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା । ଏହା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରେସଲର ।