ୱାର୍ଲ୍ଡକପ୍ ଧରି ଫେରିଲେ ମେସି: ସୁପରହିରୋଙ୍କୁ ଆର୍ଜେଣ୍ଟିନାରେ ଭବ୍ୟ ସ୍ୱାଗତ

149

କନକ ବ୍ୟୁରୋ: ଫିଫା ୱାର୍ଲ୍ଡ କପ୍ ଜିତି ନିଜ ଦେଶ ଆର୍ଜେଂଟିନା ଫେରିଛନ୍ତି ଲିୟୋନେଲ ମେସି । ଚାମ୍ପିୟାନକୁ ସ୍ୱାଗତ ପାଇଁ ପୂରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କତାରରୁ ୱାର୍ଲ୍ଡ କପ୍ ଆଣି ସ୍ୱଦେଶ ଫେରିବା ପରେ ମେସି ଓ ତାଙ୍କ ଟିମକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନରୁ ଓହ୍ଲାଇବା ବେଳେ ମେସି ଯେତେବେଳେ ହାତରେ ୱାର୍ଲ୍ଡ କପ୍ ଧରି ଆସିଲେ, ସେତେବେଳର ମାହୋଲ ସମସ୍ତଙ୍କୁ ବିମୋହିତ କରିଥିଲା । ହଜାର ହଜାର ଫ୍ୟାନ୍ସ ତାଙ୍କୁ ସ୍ୱାଗତ କରି ପାଛୋଟି ଆଣିଥିଲେ । ମେସି ମଧ୍ୟ ଲୋକଙ୍କୁ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

୩୬ ବର୍ଷ ପରେ ଆର୍ଜେଟିନାକୁ ବିଶ୍ୱକପ୍ ଜିତାଇବାରେ ସଫଳ ହୋଇଛନ୍ତି ସୁପରମ୍ୟାନ୍ ଲିଓନେଲ ମେସି । ୨ ଥରର ଚାମ୍ପିୟାନ୍ ଫ୍ରାନ୍ସଙ୍କୁ ହରାଇ ଫିଫା ୱାଲ୍ଡ କପ୍ ଟ୍ରଫି ସହ ମେସି ନିଜ ଦୀର୍ଘଦିନର ସ୍ୱପ୍ନ ପୂରା କରିଛନ୍ତି ।

ବିଶ୍ୱ କପ୍ ଜିତିବା ପରଠୁ ଆର୍ଜେଟିନାରେ କ୍ରମାଗତ ଭାବେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ । ମଙ୍ଗଳବାର ସକାଳେ ଆର୍ଜେଟିନା ରାଜଧାନୀ ବୁଏନସ୍ ଆୟର୍ସ ଇଂଟରନେସନାଲ ଏୟାରପୋର୍ଟରେ ମେସି ପହଂଚିଥିଲେ । ମେସି ପହଂଚିବା ପୂର୍ବରୁ ଲକ୍ଷାଧିକ ଫ୍ୟାନ୍ସ ଚମ୍ପିୟାନଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ରହିଥିଲେ । ଖେଳାଳୀ ମାନେ ସ୍ୱତନ୍ତ୍ର ବସ୍ ଯୋଗେ ରୋଡ ଶୋ କରିଥିଲେ । ହଜାର ହଜାର ଫ୍ୟାନ୍ସ ଟ୍ରଫି ଦେଖି ଉତ୍ସବ ମନାଉଥିଲେ । ମେସିଙ୍କ ରୋଡ ସୋ ବେଳେ କମ୍ପି ଉଠୁଥିଲା ଜୟ-ଜୟକାରର ଧ୍ୱନି । ରାସ୍ତାରେ ଲୋକମାନେ ଦେଶୀୟ ଜର୍ସି ପିନ୍ଧି ନାଚରେ ଝୁମିଥିଲେ ।

ଷ୍ଟାର ଫୁଟବଲର ଲିଓନେଲ ମେସି ଆର୍ଜେଟିନାଙ୍କୁ ବିଶ୍ୱକପ୍ ଜତାଇଛନ୍ତି । ତେବେ ବିଶ୍ୱକପ ପୂର୍ବରୁ ଫାଇନାଲ ମ୍ୟାଚ ଖେଳିବା ପରେ ଅବସର ନେବାକୁ ଘୋଷଣା କରିଥିବା ମେସି ଏବେ ନିଜର ମନ ପରିବର୍ତନ କରିଛନ୍ତି । ୱାଲ୍ଡକପ ଜିତିବା ପରେ ସେ ଜାତୀୟ ଦଳ ପକ୍ଷରୁ ଖେଳିବା ଜାରି ରଖିବେ ବୋଲି କହିଛନ୍ତି ।

୩୬ ବର୍ଷ ପରେ ବିଶ୍ୱକପ୍ ଜିତି ତୃତୀୟ ଥର ପାଇଁ ଇତିହାସ ରଚିଛି ଆର୍ଜେଟିନା । ତେବେ ଏହି ବିଶ୍ୱକପ୍ ଜିତାଇବାରେ ଷ୍ଟ୍ରାଇକର ମେସି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହାସହ ସେ ପ୍ରଥମ ଫୁଟବଲର ଭାବେ ବିଶ୍ୱକପ୍ରେ ୨୬ଟି ମ୍ୟାଚ ଖେଳି ନୂଆ ରେକର୍ଡ ହାସଲ କରିଛନ୍ତି ।