ଧାମନଗର ପରେ ନେତାଙ୍କ ନୂଆ ଠିକଣା ପଦ୍ମପୁର । ଉପନିର୍ବାଚନ ପାଇଁ ବିଗୁଲ୍ ବଜାଇଲେ ଭାରତୀୟ ନିର୍ବାଚନ କମିଶନ । 

264

କନକ ବ୍ୟୁରୋ: ବାଜିଲା ପଦ୍ମପୁର ବିଗୁଲ, ଡିସେମ୍ବର ୫ରେ ଭୋଟ୍ । ଧାମନଗର ଉପନିର୍ବାଚନକୁ ନେଇ ରାଜନୈତିକ ତାତି ଜାରି ରହିଥିବାବେଳେ, ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏ ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପନିର୍ବାଚନକୁ ନେଇ ଜାରି କରାଯାଇଥିବା ବିଜ୍ଞପ୍ତି । ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ..

– ନଭେମ୍ବର ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି

– ନଭେମ୍ବର ୧୭ରେ ନାମାଙ୍କନ ଦାଖଲର ଶେଷ ଦିନ

– ନଭେମ୍ବର ୧୮ରେ ପ୍ରାର୍ଥୀପତ୍ର ଯାଂଚ ହେବ

– ନଭେମ୍ବର ୨୧  ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ

–  ଡିସେମ୍ବର ୫ରେ ହେବ ଭୋଟ ଗ୍ରହଣ

– ଡିସେମ୍ବର ୮ରେ ଭୋଟ ଗଣତି

ନିର୍ବାଚନ ତାରିଖ ଘୋଷଣା ପରେ କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଜେଡି ବିଜୟରଞ୍ଜନଙ୍କ ପରିବାରରୁ ଟିକେଟ ଦେବ ନା ନୂଆ ମୁହଁ ଆଣିବ । ବିଜେପି ୨୦୧୯ରେ ପରାଜିତ ହୋଇଥିବା ପ୍ରଦୀପ ପୂରୋହିତଙ୍କୁ ଟିକେଟ ଦେବା ନେଇ ଆପାତତଃ ଚୂଡାନ୍ତ ହୋଇସାରିଛି । ସେପଟେ କଂଗ୍ରେସର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବ ନା ନୂଆ ମୁହଁ ଖୋଜିବ ତାକୁ ନେଇ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି । ହେଲେ, ଉପନିର୍ବାଚନରେ ସେମାନଙ୍କ ଦଳ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ।

କୁହାଯାଏ ପଦ୍ମପୁର ହେଉଛି ବିଜୟ ରଞ୍ଜନ ସିଂ ବରିହାଙ୍କ ଗଡ । ସେ ଏହି ଆସନରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ, ୨୦୧୪ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାଜିତ ହୋଇଥିଲେ  । ୨୦୧୯ ବେଳକୁ କିନ୍ତୁ ବଦଳି ଯାଇଥିଲା ଚିତ୍ର । ପୁଣି ଥରେ ନିର୍ବାଚନରେ ବିଜୟୀ ହୋଇଥିଲେ ।  ବିଜେଡି ବିଧାୟକ ବିଜୟ ରଂଜନ ସିଂହ ୮୩ ହଜାର ୨୯୯ ଭୋଟ ପାଇଥିବା ବେଳେ, ବିଜେପି ନେତା ପ୍ରଦୀପ ପୁରୋହିତ ୭୭ ହଜାର ୫୬୫ ଖଣ୍ଡ ଭୋଟ ପାଇଥିଲେ, କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ୩୨ ହଜାର ୭୮୭ ଭୋଟ ପାଇଥିଲେ । ଅର୍ଥାତ୍ ମାତ୍ର ୫୭୩୪ ଖଣ୍ଡ ଭୋଟରେ ବିଜୟ ହୋଇଥିଲେ ବିଜେଡି ପ୍ରାର୍ଥୀ ।