କାହାକୁ ନେତା ବାଛିଲା ଧାମନଗର, କାଲି ଖୋଲିବ ଇଭିଏମ୍। ଭୋଟଗଣତି ପୂର୍ବରୁ ଆସିଲା ଗଣ୍ଡଗୋଳର ଖବର।

136

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ଫଳାଫଳ ଆସିନଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକାଧିକ ଭିଡିଓ । ଯେଉଁ ଭିଡିଓକୁ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ହିଂସାର ଦୃଶ୍ୟ ବୋଲି କୁହାଯାଉଛି । ଭାଇରାଲ ହେଉଥିବା ପ୍ରଥମ ଭିଡିଓଟି ଧାମନଗର ନିର୍ବାଚନୀ ମଣ୍ଡଳୀର ଖରପଦା ପଞ୍ଚାୟତର  ।  ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଏକ ଗରିବ ପରିବାରର ଚାଳଛପର ଘରକୁ କେହି ଦୁବୃର୍ତ୍ତ ପୋଡି ଦେଇଛନ୍ତି । ଏତିକିରେ ଦୁବୃର୍ତ୍ତଙ୍କ ମନ ଶାନ୍ତ ହୋଇନି । ମହିଳା ଜଣଙ୍କ ତାଙ୍କ ପରିବାର ସହ ମିଶନ ଶକ୍ତି ଘରେ ଆଶ୍ରୟ ନେଇଥିବାବେଳେ ଦିନ ଦ୍ୱି-ପ୍ରହରରେ ତାଙ୍କୁ ଆକ୍ରମଣ କରିଛନ୍ତି । ମିଶନ ଶକ୍ତି ଘରୁ ବଳପୂର୍ବକ ବାହାର କରିବାକୁ ଟଣାଓଟରା କରିଥିବା ଦେଖାଯାଉଛି । ଆଉ ଏଥିପାଇଁ ସ୍ଥାନୀୟ ବିଜେଡି ସରପଞ୍ଚ, ତାଙ୍କ ପୁଅ ଓ ସମର୍ଥକଙ୍କୁ ଦାୟୀ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳା ।

ଆଉ ଏକ ଭିଡିଓ ତିହିଡି ତଳଗପବିନ୍ଧା ଗାଁର । ଯେଉଁ ଭିଡିଓରେ ଦେଖାଯାଉଛି, ଗୋଟିଏ ପରିବାରର ଏକାଧିକ ଲୋକ ଆକ୍ରମଣର ଶିକାର ହୋଇ ହସ୍ପିଟାଲ ବେଡରେ ଶୋଇଛନ୍ତି । କାହାର ମୁଣ୍ଡ ଫାଟିଛି ତ ଆଉ କିଏ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ହୋଇଥିବା ପରିବାରର ଅଭିଯୋଗ ଅନୁସାରେ, ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇନଥିବାରୁ ଶୁକ୍ରବାର ବିଳମ୍ବିତ ରାତିରେ ବିଜେଡି କର୍ମୀମାନେ ଲୁହାର ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସଞ୍ଜିବନୀ ବେହେରା ଓ ଶଶିକାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା । ଅଭିଯୋଗ ପାଇବା ପରେ ତିହିଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତେବେ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ପରେ ବିଜେଡି ହିଂସା ସୃଷ୍ଟି କରୁଥିବା ଅଭିଯୋଗକୁ ନେଇ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି,  ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ଅଛି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଧାମନଗରରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ହିଂସା ସୃଷ୍ଟି ହେବା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଯଦି ଏଭଳି ହୁଏ ଆଗାମୀ ଦିନରେ ଭୟଙ୍କର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି ।