ଫାଶୀ ଦଉଡି ଛିଣ୍ଡିଗଲେ କଣ କଏଦୀଙ୍କୁ ଫାଶୀ ଦଣ୍ଡରୁ ମୁକ୍ତ କରାଯାଏ କି? ଜାଣନ୍ତୁ ଏଭଳି ପ୍ରଶ୍ନର ଉତ୍ତରରେ କଣ କହିଲେ ପବନ ଜହ୍ଲାଦ ।
ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ୭ ବର୍ଷ ପୂରିଛି । ଏପରିକି ଖୁବଶୀଘ୍ର ନିର୍ଭୟା ଗଣଦୁର୍ଷ୍କମର ନରପିଶାଚଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇପାରେ । ଦୋଷୀଙ୍କ ରାଜକ୍ଷମା ଆବେଦନ ଉପରେ କୋର୍ଟଙ୍କ ନିଷ୍ପତି ପରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ତିହାର ଜେଲ ପକ୍ଷରୁ ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ବେଳେ ଉତ୍ତର ପ୍ରଦେଶ ଜେଲ ପ୍ରଶାସନକୁ ଜହ୍ଲାଦ ଯୋଗାଇ ଦେବାକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ତେବେ ଏହାପୂର୍ବରୁ ଜହ୍ଲାଦ ପବନ ଫାଶୀ ପ୍ରକ୍ରିୟାକୁ ନେଇ ଅନେକ କଥା ସାମ୍ନାକୁ ଆଣିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଫାଶୀ ଦଉଡି ଛିଣ୍ଡିଗଲେ କଣ କଏଦୀଙ୍କୁ ଫାଶୀ ଦଣ୍ଡରୁ ମୁକ୍ତ କରାଯାଏ କି ପ୍ରଶ୍ନର ଉତ୍ତରରେ ପବନ ଜହ୍ଲାଦ କହିଛନ୍ତି, ଫାଶୀ ପାଇଁ ସମୟ ସ୍ଥିର ହେବା ଓ କଏଦୀ ଫାଶୀ ଖୁଣ୍ଟରେ ଚଢିବା ପରେ ଆଉ କୌଣସିମତେ ଏହାକୁ ରୋକାଯାଇ ପାରିବ ନାହିଁ । କଏଦୀ ଫାଶୀଖୁଣ୍ଟ ପର୍ଯ୍ୟନ୍ତ ଯାଇଥିବେ ଓ ତାଙ୍କୁ ଫାଶୀ ଦିଆଯିଆନଥିବ ଏଭଳି ଘଟଣା ଭାରତର ଫାଶୀଦଣ୍ଡ ଇତିହାସରେ କେବେ ହୋଇନାହିଁ ।
ସେହିଭଳି ଫାଶୀର ପ୍ରକ୍ରିୟାକୁ ନେଇ ପବନ କହିଛନ୍ତି, ତାରିଖ ସ୍ଥିର ହେବା ପରେ ଫାଶୀ ଦେବାର ଗୋଟିଏ ଦିନ ପୂର୍ବରୁ ଆମକୁ ଜେଲରେ ପହଞ୍ଚିବାକୁ ପଡିଥାଏ । ଏହାପରେ କଏଦୀଙ୍କୁ କିଭଳି ଫାଶୀ ଦଉଡିରେ ବାନ୍ଧିବାକୁ ପଡିବ ସେନେଇ ଚିନ୍ତା କରିଥାଏ । ଫାଶୀ ଦେବା ପୂର୍ବ ରାତିରେ ଠିକରେ ନିଦ ହୋଇନଥାଏ । ଫାଶୀ ଦେବା ପାଇଁ ପ୍ରସ୍ତୁତି ହେବାକୁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗିଥାଏ ।
ସେହିଭଳି କଏଦୀଙ୍କୁ ଫାଶୀଗୃହକୁ ଆଣିବା ସମୟରେ ହାତକଡି ପିନ୍ଧାଯାଇଥାଏ ନଚେତ ହାତକୁ ପଛ କରି ଦଉଡିରେ ବାନ୍ଧି ଦିଆଯାଇଥାଏ । ଦୁଇ ଜଣ ପୋଲିସ ତାଙ୍କୁ ଧରିକି ଆଣିଥାନ୍ତି । ସେଲରୁ ଫାଶୀଗୃହକୁ କଏଦୀଙ୍କୁ ଆଣିବାକୁ ପ୍ରାୟ ୧୫ ମିନିଟ୍ ସମୟ ଲାଗିଥାଏ । ଫାଶୀ ଦେବା ସମୟରେ ଫାଶୀଗୃହରେ ୪ରୁ ୫ ଜଣ ଜେଲ କର୍ମଚାରୀ ଉପସ୍ଥିତି ରହିଥାନ୍ତି । ଯେଉଁମାନେ କଏଦୀଙ୍କୁ ଫାଶୀଖୁଣ୍ଟ ପର୍ଯ୍ୟନ୍ତ ଆଣିଥାନ୍ତି । ସେହି ସମୟରେ କେହି କିଛି କହିନଥାନ୍ତି । କେବଳ ଇସାରା ଇସାରାରେ ପୂରା କାର୍ଯ୍ୟ ହୋଇଥାଏ । ଏଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ସହ ପୂର୍ବରୁ ଆଲୋଚନା ହୋଇଥାଏ । ଏହାଛଡା ଫାଶୀ ଗୃହରେ ଜେଲର, ଡକ୍ଟର ମଧ୍ୟ ଉପସ୍ଥିତ ରୁହନ୍ତି ।
ପବନ କୁମାରଙ୍କ ପରିବାର ଏପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକଙ୍କୁ ଜହ୍ଲାଦ ଭାବେ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି । ପବନଙ୍କ ପରିବାରରେ ଏହାପୂର୍ବରୁ ଲକ୍ଷ୍ମଣ, କାଳୁରାମ ଓ ବବୁ ସିଂ ଜହ୍ଲାଦ ଭାବେ କାର୍ଯ୍ୟ କରିଛନ୍ତି ।