ଭୋକ ଦୂର ପାଇଁ ଚୋରି କଲେ ! ଲୋକ ପିଟି ପିଟି ମାରିଦେଲେ, ସେଲଫି ନେବାକୁ କିନ୍ତୁ ଭୁଲିଲେନି

49

ଖାଦ୍ୟ ଚୋରି କରିବା ପଡିଲା ମହଙ୍ଗା । ଚାଲିଗଲା ଜଣେ ନିରୀହ ଆଦିବାସୀ ଯୁବକର ପ୍ରାଣ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଭାରତର ସବୁଠାରୁ ଶିକ୍ଷିତ ରାଜ୍ୟ କେରଳରେ ଦେଖିବାକୁ ମିଳିଛି । ସବୁଠାରୁ ସଭ୍ୟ ଓ ଶିକ୍ଷିତ ରାଜ୍ୟର ଲୋକ ମଧ୍ୟରେ ମରିଯାଇଛି ମାନବିକତା । ମୁଠାଏ ଖାଇବା ପାଇଁ ଖାଦ୍ୟ ଚୋରି କରୁଥିବା ଅଭିଯୋଗରେ ଜଣେ ଆଦିବାସୀ ଯୁବକଙ୍କୁ ପିଟି ପିଟି ମାରିଦେଲେ କେରଳର ସଭ୍ୟ ଓ ଶିକ୍ଷିତ ଲୋକ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି ।

ଘଟଣା ଅନୁଯାୟୀ, କେରଳର ପଲକ୍କଡ ଜିଲ୍ଲାର ଆଟାଟପାଡିର ୨୭ ବର୍ଷୀୟ ମଧୁ ନାମକ ଆଦିବାସୀ ଯୁବକକୁ କେତେକ ସ୍ଥାନୀୟ ଲୋକ ଧରି ବାନ୍ଧିଦେବା ପରେ ପ୍ରବଳ ମାଡ଼ ମାରିଥିଲେ । ତା ବିରୋଧରେ ଅଭିଯୋଗ ଥିଲା ଯେ ସେ ଉକ୍ତ ଅଂଚଳର ଦୋକାନଗୁଡ଼ିକରୁ ନିୟମିତଭାବେ ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଚୋରି କରେ । ଯାହାର ବଜାର ମୂଲ୍ୟ ୨୦୦ ଟଙ୍କାରୁ ମଧ୍ୟ କମ ହେବ । ତେବେ ଏହା ଜଣାପଡିବା ପରେ ମଧୁକୁ ଜଙ୍ଗଲରେ ବାନ୍ଧି ପ୍ରବଳ ମାଡ ମାରିଥିଲେ ଲୋକେ । ଭୋକ ମେଣ୍ଟାଇବା ପାଇଁ ମଧୁ ଖାଇବା ଚୋରି କରୁଥିଲେ ମଧ୍ୟ ତା ଉପରେ କାହାର ଦୟା ଆସିନଥିଲା । ଲୋକଙ୍କ ଦ୍ୱାରା ପ୍ରବଳ ମାଡ଼ ଖାଇବା ପରେ ସେ ସଂଜ୍ଞାହୀନ ହୋଇ ପଡିଯାଇଥିଲା । ଡାକ୍ତରଖାନା ନିଆଯିବା ବାଟରେ ତାର ମୃତ୍ୟୁ ହୋଇଥିଲା । ଦୁର୍ଭାଗ୍ୟଜନକ କଥା ହେଉଛି ତାକୁ ମାଡ଼ ମାରିବା ପରେ କିଛି ସ୍ଥାନୀୟ ଯୁବକ ତା ସହ ସେଲଫି ଉଠାଇଥିଲେ ।ଏପରିକି ଏହାର ଭିଡ଼ିଓ ମଧ୍ୟ ରେକର୍ଡିଂ କରିଥିଲେ ।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଇତି ମଧ୍ୟରେ ପୁଲିସ୍ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ବନ୍ଦ ଡାକରା ଦିଆଯାଇଛି ।