ଇ-ଶ୍ରମ ପୋର୍ଟାଲ ପଞ୍ଜିକରଣରୁ ଆସିଲା ସାଂଘାତିକ ତଥ୍ୟ, ଦେଶରେ ୯୪ ପ୍ରତିଶତ ଶ୍ରମିକଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ

219

କନକ ବ୍ୟୁରୋ : କେନ୍ଦ୍ର ସରକାର ବିକାଶର ବାହାବା ନେଉଛନ୍ତି ତ କିଛି ଆଞ୍ଚଳିକ ଦଳଙ୍କ ଦ୍ୱାରା ଶାସିତ ରାଜ୍ୟ ସରକାରମାନେ ମାଗଣା ଯୋଜନା ମାଧ୍ୟମରେ ଭୋଟବ୍ୟାଙ୍କ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ହେଲେ ଦେଶର ବାସ୍ତବ ଚିତ୍ର ଏବେ ପଦାରେ ପଡିଛି । ଦେଶର ୬୦ ପ୍ରତିଶତରୁ ଅଧିକ ଲୋକ ଦୈନିକ ଶ୍ରମ ଉପରେ ସେମାନଙ୍କର ରୋଜଗାରକୁ ନିର୍ଭର କରୁଥିବା ବେଳେ ସେମାନଙ୍କର ମାସିକ ଆୟର ଖୁଲାସା କରିଛି ଇ-ଶ୍ରମ ପୋର୍ଟାଲ । ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରୁ ୯୪ ପ୍ରତିଶତ ଶ୍ରମିକଙ୍କର ମାସିକ ଆୟ ୧୦ ହଜାର ଟଙ୍କା ତଳେ ରହିଛି । ଏହି ପୋର୍ଟାଲରେ ପଞ୍ଜିକରଣ କରିଥିବା ଦେଶର ୨୭.୬୯ କୋଟି ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୭୪ ପ୍ରତିଶତ ଶ୍ରମିକ ଏସସି, ଏସଟି ଓ ଓବିସି ବର୍ଗର । ଅର୍ଥାତ ଏବେ ବି ଦେଶରେ ରିଜରର୍ଭେସନର ଆବଶ୍ୟକତା ଥିବା ଏହି ତଥ୍ୟ କହୁଛି ।

ସୂଚନା ମୁତାବକ ୨୦୨୧ ନଭେମ୍ବର ମାସ ପର୍ଯ୍ୟନ୍ତ ମାସିକ ୧୦ ହଜାରରୁ କମ ରୋଜଗାର କରୁଥିବା ଶ୍ରମିକଙ୍କ ହାର ଥିଲା ୯୨.୩୭ ପ୍ରତିଶତ । ଏହି ସମୟରେ ମାତ୍ର ୮ କୋଟି ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ହେଲେ ଏପ୍ରିଲ ୨୦୨୨ ଅର୍ଥାତ ୫ ମାସ ମଧ୍ୟରେ ଏହି ଶ୍ରମ ପୋର୍ଟାଲରେ ୨୭.୬୯ କୋଟି ଶ୍ରମିକ ପଞ୍ଜିକରଣ କରିଥିବା ବେଳେ ୧୦ ହଜାରରୁ ମାସିକ କମ୍ ରୋଜଗାର କରୁଥିବା ଶ୍ରମିକଙ୍କ ହାର ୯୨.୩୭ ପ୍ରତିଶତରୁ ବୃଦ୍ଧି ପାଇ ୯୪ ପ୍ରତିଶତରେ ପହଂଚିଛି ।

ଏଭଳି ଖୁଲାସା ପରେ ଏବେ ବିଶେଷଜ୍ଞମାନେ ଗ୍ରହଣ କରିଛନ୍ତି କି ଦେଶରେ ଅସମାନତା ହାର କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ସୂଚନା ମୁତାବକ ଏବେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ମୋଟ ଶ୍ରମିକଙ୍କ ସଂଖ୍ୟା ୩୮ କୋଟିରୁ ଅଧିକ । ହେଲେ ଏପର୍ଯ୍ୟନ୍ତ ୨୭.୬୯ ପ୍ରତିଶତ ଶ୍ରମିକ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ଏନେଇ କେନ୍ଦ୍ର ସରକାର ତୁରନ୍ତ ପଞ୍ଜିକରଣ ସାରିବାକୁ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଏନେଇ ଏକ ବ୍ୟାପକ ଡାଟାବେସ୍ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର ।