ବର୍ଷା ଓ ବନ୍ୟାରେ ଗଲାଣି ୮ଜୀବନ। କଳାହାଣ୍ଡି,ବଲାଙ୍ଗୀରର ୪ଟି ବ୍ଲକରେ ସର୍ବାଧିକ ବର୍ଷା। ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

354

କନକ ବ୍ୟୁରୋ: ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେସମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ ବିଷ୍ଣୁପଦ ସେଠୀ । ଏସଆରସିଙ୍କ କହିବା ଅନୁସାରେ, ବନ୍ୟା ଓ ବର୍ଷାରେ ୮ଜଣଙ୍କ ଜୀବନ ଗଲାଣି । ୨୪ ଘଂଟା ଭିତରେ କଳାହାଣ୍ଡି, ବଲାଙ୍ଗୀରର ୪ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି । ବଲାଙ୍ଗୀର ଓ କଳାହାଣ୍ଡିର ଦୁଇଟି ବ୍ଲକରେ ୪୦୦ମିଲିମିଟର ବର୍ଷା ହୋଇଥିବାବେଳେ ଆଉ ଦୁଇଟି ବ୍ଲକରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କଳାହାଣ୍ଡି ଓ ବଲାଙ୍ଗୀରର ଅଧିକାଂଶ ବ୍ଲକରେ ୨୦୦ରୁ ୩୦୦ମିଲିମିଟର ବର୍ଷା ହୋଇଛି ।

ସେହିପରି ବୌଦ୍ଧ ଜିଲ୍ଲାରେ ୧୬୯ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସୁବର୍ଣ୍ଣପୁର ଓ କନ୍ଧମାଳରେ ଶହେରୁ ଅଧିକ ମିଲିମିଟର ବର୍ଷା ହୋଇଛି । ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ତେବେ ରାଜ୍ୟର ସମସ୍ତ ପ୍ରମୁଖ ନଦୀର ଜଳସ୍ତରର ବିପଦ ସଂକୁଳ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିରରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କୁତ୍ରିମ ବନ୍ୟା ଯୋଗୁଁ ସହରରେ କୁତ୍ରିମ ବନ୍ୟା ହୋଇଛି । ଯେଉଁଆଡେ ଦେଖିବ ଖାଲି ପାଣି ଆଉ ପାଣି । ସମ୍ପୂର୍ଣ୍ଣ ସହର ଜଳାର୍ଣବ ହୋଇଛି । ସହର ଭିତର ରାସ୍ତା ଜଳାଶୟର ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା କେଉଁଠି ଜଳାଶୟ ତାହା ଜାଣିବା କଷ୍ଟକର ହୋଇପଡିଛି । ବଲାଙ୍ଗିର ସହରର ମୁଖ୍ୟ ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଛି । ବିଭିନ୍ନ ସ୍ଥାନରେ ଘର ଭିତରେ ମଧ୍ୟ ପାଣି ପଶି ଯାଇଛି ।

ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତଳିଆ ଅଂଚଳର ସ୍ଥିତି ସଂଗୀନ ହୋଇପଡିଛି । ସହରର ତେଲିଗୋଟ ପଡା, ମାଲପଡା, କଂସାରିପଡା, ରାଜେନ୍ଦ୍ରପଡା, ଇନ୍ଦ୍ରାନଗର, ଶାସ୍ତ୍ରୀ ନଗର, ସାଗର ପଡା ଅଂଚଳ ଏକପ୍ରକାର ଜଳବନ୍ଦୀ ହୋଇ ରହିଛି । ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଏବଂ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ବଲାଙ୍ଗୀର । ପରିସ୍ଥିତିକୁ ନଜରରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବାତିଲ କରାଯାଇଛି ।