ପଶ୍ଚିମବଙ୍ଗରେ ଖଣ୍ଡଯୁଦ୍ଧ: ଉତ୍ତର ୨୪ ପ୍ରଗଣାରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ, ୮ ମୃତ ଆଶଙ୍କା

ଆଜି ବିଜେପିର ୧୨ ଘଣ୍ଟିଆ ପଶ୍ଚିମବଂଗ ବନ୍ଦ ଡାକରା

131

କନକ ବ୍ୟୁରୋ: ପଶ୍ଚିମବଂଗରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ବିରୋଧୀ ଦଳ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଦୁଇଟି ସ୍ଥାନରେ ବଡ଼ ଧରଣର ସଂଘର୍ଷ ଓ ଗୁଳିମାଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଥିବା ଏହି ହିଂସାକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୪ ଜଣ ନିଖୋଜ ଅଛନ୍ତି।

ଗତକାଲି ବସିରହାଟରେ ୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବକୁ ଶେଷ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟକୁ ନିଆଯିବା ବେଳେ ରାସ୍ତାରେ ପୁଲିସ ଶବ ଅଟକାଇବାରୁ ପୁଲିସ ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ। ହଜାର ହଜାର ଲୋକ ରାସ୍ତା ଅବରୋଧ କରିବାରୁ ସ୍ଥିତି ଜଟିଳ ହୋଇଥିଲା। ପୁଲିସ ୩ କାର୍ଯ୍ୟକର୍ତ୍ତାଙ୍କ ଶବକୁ ଦଳୀୟ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ନଦେଲେ ରାସ୍ତା ଉପରେ ହିଁ ଶବ ସଂସ୍କାର ପାଇଁ ବିଜେପି ନେତାମାନେ ଚେତାବନୀ ଦେଇଥିଲେ। ଏହି ଘଟଣାର ପ୍ରତିବାଦରେ ବିଜେପି ଆଜି ପଶ୍ଚିମବଂଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

୨୪ ପ୍ରଗଣା ଜିଲ୍ଲାର ପ୍ରାୟ ୬ଟି ସ୍ଥାନରେ ମଧ୍ୟ ବିଜେପି-ଟିଏମ୍ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି ଏବଂ ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଶନିବାର ଅପରାହ୍ନରୁ ହିଂସା ଲାଗି ରହିଥିବା ବେଳେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ହିଂସା ସୃଷ୍ଟିକାରୀ ଏବଂ ପକ୍ଷପାତ ନୀତି ଧରିଥିବା ପୁଲିସ କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହିଂସାକାଣ୍ଡ ସଂପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ପୁଲିସ ମୁଖ୍ୟଙ୍କୁ କୁହାଯିବା ସହ ଆଇନ ଶୃଙ୍ଖଳା ରକ୍ଷା ଦିଗରେ କୌଣସି ସାଲିସ୍ ନ କରିବାକୁ କୁହାଯାଇଛି।

ବିଜେପିର ୩ ଜଣ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ପ୍ରକୃତରେ ୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବିଜେପି କହିଛି। ବିଜେପିର ୧୮ ଜଣ କର୍ମୀ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ନିଖୋଜ ଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି। ଟିଏମ୍ସିର ବରିଷ୍ଠ ନେତାମାନେ କହିଛନ୍ତି ଯେ ହାଟଗାଛିରେ ୩ ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଦଳ ପକ୍ଷରୁ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍ କରାଯାଇଥିବା ବେଳେ ପୁଲିସ କିନ୍ତୁ ଜଣେ ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା କହିଛି।