ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ : ୪-ଜି ତୁଳନାରେ ୧୦ଗୁଣା ଅଧିକ ଗତିରେ ଚାଲିବ ଇଣ୍ଟରନେଟ୍

199

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ୫-ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରକ୍ରିୟା । ଏଥିରେ ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଓ ବିଏସ୍ଏନ୍ଏଲ ପରି ୪ଟି କମ୍ପାନୀ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ । ପୂର୍ବରୁ ଦେଶରେ ଫାଇଭ୍-ଜି’ର ସଫଳ ପରୀକ୍ଷା କରାଯାଇଛି । ସମ୍ପୂର୍ଣ୍ଣ ଦେଶୀ କୌଶଳ ଓ ପ୍ରଯୁକ୍ତିରେ ଏହାର ଡିଜାଇନ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଫାଇଭ୍-ଜି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି । ଏହା ଲାଗୁ ହେବା ପରେ ଅନଲାଇନ୍ ସେବା ଆହୁରି ତ୍ୱରାନ୍ୱିତ ହେବ । ଭିଡିଓ ଡାଉନଲୋଡ ଖୁବ ଶୀଘ୍ର ହୋଇପାରିବ ।

କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଫାଇଭ୍-ଜିକୁ ବ୍ୟବହାର କରାଯାଇ ପାରିବ । ଘରୋଇ ଟେଲିକମ୍ କମ୍ପାନୀମାନେ ମଧ୍ୟ ଫାଇଭ୍-ଜି ନେଇ ପରୀକ୍ଷଣ କରୁଛନ୍ତି । ବିଶ୍ୱର ଅନେକ ନାମୀଦାମୀ କମ୍ପାନୀ ମଧ୍ୟ ଫାଇଭ୍-ଜିର ପରୀକ୍ଷା କରୁଛନ୍ତି । ସାମସଙ୍ଗ, ନାକିଆ, ଇନଟେଲ, ହ୍ୱେଏଇ, ଏରିକସନ ପରି କମ୍ପାନୀ ଏକ୍ଷେତ୍ରରେ ଅଗ୍ରଗତି ମଧ୍ୟ କରିଛନ୍ତି । ଚୀନ୍, ଆମେରିକା, ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଏବେ ଏହି ପ୍ରଯୁକ୍ତିରେ ଭାରତ ଠାରୁ ଆଗରେ ଅଛନ୍ତି ।

୫-ଜି ଆସିଲେ କେମିତି ଦ୍ରୁତ ହେବ ଇଣ୍ଟରନେଟ୍ ସେବା ?

– ୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବପେଜ୍
– ଅର୍ଥାତ୍ ୫-ଜିର ଲେଟେନ୍ସି ୧ ମିଲିସେକେଣ୍ଡରୁ ବି କମ୍ ରହିବ
– ୫ଜିର ସ୍ପିଡ୍ ବର୍ତ୍ତମାନର ସ୍ପିଡଠାରୁ ଢେର ଅଧିକ ହେବ
– ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନଲୋଡ କିମ୍ବା ଅପଲୋଡ କରିହେବ
– ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ
– ଏକାଧିକ ଡିଭାଇସକୁ ଇଣ୍ଟରନେଟ୍ ସହ ଯୋଡାଯାଇ ପାରିବ
– ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
– ଜୁମ୍ କଲ କରିବା ସମୟରେ କେବେବି ଅସୁବିଧା ହେବ ନାହିଁ
– ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ
– ପିଲାଙ୍କ ଅନଲାଇନ୍ ପାଠ ପଢା ସହ ସୁବିଧାରେ ହୋଇପାରିବ କର୍ମଚାରୀଙ୍କ କନଫରେନ୍ସ
– ୫ଜି ନେଟୱର୍କ ଦ୍ୱାରା ଟେଲିସର୍ଜରୀରେ ମଧ୍ୟ ସୁବିଧା ହେବ