କାରଗିଲ ବିଜୟ ଦିବସକୁ ୨୩ ବର୍ଷ । ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କୁ ଝୁରୁଛି ସାରା ଦେଶ ।

152

କନକ ବ୍ୟୁରୋ: କାହାଣୀ ଭାରତୀୟ ବୀର ଯବାନଙ୍କର । ୨୩ ବର୍ଷରେ ବି ଭାରି ମନେ ପଡେ ବୀର ଯବାନଙ୍କର ସୌର ଗାଥା । ମନେ ପଡେ ପାକିସ୍ତାନର ବିଶ୍ୱାସଘାତକତା । ଆଉ ମନେପଡେ ଲହୁ ଢାଳି , ପ୍ରାଣ ଦେଇ ଶତ୍ରୁ ଠାରୁ ନିଜ ଦେଶକୁ ରକ୍ଷା କରିଥିବା ଅମର ଯବାନଙ୍କର ଦୁଃସାହସର କାହାଣୀ । ଆଜି ବି ସେମାନଙ୍କର ବଳିଦାନକୁ ଝୁରୁଛି ସାରା ଦେଶ, ଝୁରୁଛି ପ୍ରତିଟି ପ୍ରାଣ । ଆଜି କାରଗିଲ ବିଜୟ ଦିବସ ଉପଲେକ୍ଷେ ଦେଶ ଜଣାଉଛି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।

କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା । ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି ବି ସେହି ଯବାନଙ୍କ ବୀରଗାଧାକୁ ମନେପକାଇ ଆଖିରୁ ଲୁହ ଗଡାଉଛି ।

୧୯୯୯ ମେ ୩ ତାରିଖ, କାରଗିଲର ବାଟାଲିକ୍ ସେକ୍ଟର । କିଛି କଳା କପଡା ପିନ୍ଧିଥିବା ଲୋକ ଏହି ଇଲାକା ଭିତରକୁ ପଶିଆସିଥିଲେ । ବାଟାଲିକ୍ ସେକ୍ଟର ପାହାଡରେ ଏମାନେ ବଙ୍କର ଖୋଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ସେନାକୁ ଖବର ଦେଇଥିଲେ । ପରେ ପରେ ଏହି ପଟେ ପାକିସ୍ତାନ ସେନା ଭାରତ ଭିତରକୁ ଅନୁପ୍ରେବେଶ କରିବାର ଖବର ମଧ୍ୟ ସେନା ପାଇଥିଲା । ଏହାର ଦୁଇ ଦିନ ପରେ (ମେ ୫ତାରିଖରେ) ସେହି ବାଟରେ ପ୍ୟାଟ୍ରୋଲିଂ କରିବାକୁ ଯାଉଥିବାବେଳ ୫ଜଣ ଭାରତୀୟ ଯାବନଙ୍କୁ ହତ୍ୟା କରିଥିଲା ପାକ ସେନା । ଏହାପରେ କାର୍ଗିଲ ସେକ୍ଟରରେ ପାକିସ୍ତାନ ପଟୁ ଆରମ୍ଭ ହୋଇଥିଲା ପ୍ରବଳ ଗୁଳିମାଡ ।ମେ ୧୦ତାରଖରେ ଦ୍ରାସ୍ , କାକସର, ମୁଖୋସ୍ ସେକ୍ଟରରେ ପାକ ସେନା ଅନୁପ୍ରବେଶ କରିଥିବା ଜଣାପଡିଥିଲା । ଆରମ୍ଭ ହୋଇଥିଲା ଭାରତର କାର୍ଯ୍ୟାନୁଷ୍ଠାନ , ଘମାଘୋଟ ଯୁଦ୍ଧ । ଭାରତର ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ପାକିସ୍ତାନ ସେନା । ଭାରତୀୟ ଯବାନଙ୍କ ଆକ୍ରମଣରେ ୧୨୦୦ରୁ ଅଧିକ ପାକିସ୍ତାନ ସୈନିକ ପ୍ରାଣ ହରାଇଥିଲେ । ଏହାସହ ୧୦,୦୦୦ରୁ ଅଧିକ ସୈନ୍ୟ ଆହତ ହୋଇଥିଲେ । ଖାଲି ସେତିକି ନୁହେଁ ଏହି ଯୁଦ୍ଧ ଯୋଗୁଁ ପାକିସ୍ତାନରୁ ହଜାର ହଜାର ଲୋକେ ପ୍ରଭାବିତ ହୋଇଥିଲେ ।

କାରଗିଲ ଯୁଦ୍ଧ ପାଖାପାଖି ୨ ମାସ ଧରି ଚାଲିଥିଲା । ଶେଷରେ ହାର ମାନିଥିଲା ପାକିସ୍ତାନ । ଅନୁପ୍ରବେଶ କରିଥିବା ପାକିସ୍ତାନ ସେନା ଫେରିଯାଇଥିଲେ । ଜୁଲାଇ ୨୬ ତାରିଖରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ହେଲେ ଦେଶକୁ ଶତ୍ରୁଠାରୁ ବଞ୍ଚାଇବାରେ ଭାରତର ୨୬ଜଣ ସେନା ଅଫିସରଙ୍କ ସମେତ ୫୨୭ ଯବାନ ସହିଦ ହୋଇଥିଲେ ।

୧୯୯୯ରେ ହୋଇଥିବା ଏହି ଯୁଦ୍ଧକୁ ୨୩ ବର୍ଷ ପୁରିଛି । ହେଲେ ଆଜି ବି ସେହି ବୀର ଯବାନଙ୍କ ଅଦମ୍ୟ ସାହାସ ଓ ବଳିଦାନକୁ ଝୁରି ହେଉଛି ସାରା ଦେଶ ।