କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା: ସାହସିକତାର ପରିଚୟ ଦେଲେ ୫ ଓଡ଼ିଆ ରେଳ କର୍ମଚାରୀ, ରକ୍ଷା ପାଇଗଲା ୨୬ ନିରୀହ ଜୀବନ

46

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଖତୌଲି ଠାରେ ଶନିବାର ଅପରାହ୍ନରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁରୀ- ହରିଦ୍ୱାର ଉତ୍କଳ ଏକ୍ସପ୍ରେସର ଆହତ ଯାତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ସଫଳତାର ସହ ଉଦ୍ଧାର କରିବା କ୍ଷେତ୍ରରେ ୫ ଜଣ ଓଡ଼ିଆ ରେଳ କର୍ମଚାରୀଙ୍କ ସାହସିକ ଓ ପ୍ରଶଂସନୀୟ କାର୍ଯ୍ୟ ଏବେ ଚର୍ଚ୍ଚାରେ ରହିଛି ।

ରିପୋର୍ଟରୁ ପ୍ରକାଶ ଯେ, ପୁରୀ- ହରିଦ୍ୱାର ଉତ୍କଳ ଏକ୍ସପ୍ରେସର ଟୁ-ଟାୟାର ଏସି କୋଚରେ ପୁରୀ ଷ୍ଟେସନ୍ରୁ ଏସି ମେକାନିକ୍ ବିଷ୍ଣୁ ପ୍ରସାଦ ବେହେରା, ଚିନ୍ତାମଣି ମହାନ୍ତି ଏବଂ ଏସି ଆଟେଣ୍ଡାଣ୍ଟ କୁଳମଣି ସ୍ୱାଇଁ, ସୁକାନ୍ତ ଦାସ ଓ ରାଜାରାମ ପାଶ୍ୱାନ୍ ଟ୍ରେନ୍ କର୍ମଚାରୀ ଭାବେ ଯାତ୍ରାରମ୍ଭ କରିଥିଲେ।  ଏସି ମେକାନିକ ବିଷ୍ଣ୍ୁ ପ୍ରସାଦଙ୍କ କହିବା ଅନୁଯାୟୀ, କଳିଙ୍ଗ- ଉକ୍ରଳ ଏକ୍ସପ୍ରେସ ପୂରୀରୁ ଯାତ୍ରା ଆରମ୍ଭ କରିବା ପରଠାରୁ ସବୁକିଛି ଠିକଠାକ ଥିଲା । ଏସି ଟୁ –ଟାୟାର କୋଚରେ ଯାତ୍ରା ଆରମ୍ଭରୁ ୪୫ ଜଣ ଯାତ୍ରୀ ଥିଲେ । ଦିଲ୍ଲୀରେ କିଛି ଯାତ୍ରୀ ଓହ୍ଲାଇବା ପରେ ୨୬ ଜଣ ଯାତ୍ରୀ ବଗିରେ ଥିଲେ । କିନ୍ତୁ ଟ୍ରେନ ଖତୌଲିରେ ପହଞ୍ଚିବା ପରେ ସବୁକିଛି ବଦଳିଯାଇଥିଲା । ଅପରାହ୍ନ ୫ଟା ୪୫ରେ ହଠାତ ଭୀଷଣ ଶବ୍ଦରେ ଥରିଉଠିଲା ଟ୍ରେନ । କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ ଟ୍ରେନ୍ ଲାଇନଚ୍ୟୁତ ହୋଇଗଲା ।

ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଗୋଟିଏ ଗୋଟିଏ ବଗି ଉପରେ ଅନ୍ୟ ବଗି ଚଢି ଯାଇଥିଲା । ଏସି ବଗି ଗୁଡିକ ଗୋଟିଏ କଡକୁ ଓଲଟି ପଡିଥିଲା । ଏଇଠି ନିଜ ସାହସିକତାର ପରିଚୟ ଦେଖାଇଥିଲେ ୫ ଓଡିଆ କର୍ମଚାରୀ । କିଛି ବଡ ଦୁର୍ଘଟଣା ହେବାର ଆଶଙ୍କା କରି ଏସି ମେକାନିକ୍ ବିଷ୍ଣୁ ପ୍ରସାଦ ବେହେରା, ଚିନ୍ତାମଣି ମହାନ୍ତି କୋଚର ଏସି ପ୍ଲାଣ୍ଟ ଓ ଇନଭରଟରକୁ ସଙ୍ଗେ ସଙ୍ଗେ ବନ୍ଦ କରି ଦେଇଥିଲେ। ଫଳରେ ସଂପୃକ୍ତ କୋଚଟି ନିଶ୍ଚିତ ଅଗ୍ନିକାଣ୍ଡରୁ ବଞ୍ଚି ଯାଇଥିଲା। ଏହାପରେ ଏହି ଦୁଇ କର୍ମଚାରୀ ସେମାନଙ୍କର ଅନ୍ୟ ୩ ସହଯୋଗୀ ଏସି ଆଟେଣ୍ଡାଣ୍ଟ କୁଳମଣି ସ୍ୱାଇଁ, ସୁକାନ୍ତ ଦାସ ଓ ରାଜାରାମ ପାଶ୍ୱାନଙ୍କ ସହ ମିଶି  ଦୁର୍ଘଟଣା ଗ୍ରସ୍ତ ବଗିରୁ ୨୬ ଜଣ ଯାତ୍ରୀଙ୍କୁ ଜଣକ ପରେ ଜଣେ କରି ପଦାକୁ ଆଣିଥିଲେ ।  ପରେ ସ୍ଥାନୀୟ ଳୋକଙ୍କ ସହାୟତାରେ ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ପରେ ରିଲିଫ୍ ଟ୍ରେନ୍ ପହଞ୍ଚିବା ପରେ ସେମାନେ ଏହି ଯାତ୍ରୀମାନଙ୍କୁ ସେମାନଙ୍କ ଜିନିଷ ପତ୍ର ସହ ମିରଟ ପଠାଇଦେବା ପରେ ସାରାରାତି ଚାଲିଥିବା ଉଦ୍ଧାର କାର୍ୟ୍ୟରେ ନିଜକୁ ସାମିଲ କରିଥିଲେ। ଜୀବନକୁ ବାଜି ଲଗାଇ ଏହି ୫ ଜଣ ଓଡ଼ିଆ ରେଳ କର୍ମଚାରୀ ଦୁର୍ଘଟଣାଗସ୍ତ ଟ୍ରେନରୁ ୨୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ଏହି ସାହସିକ କାର୍ଯ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।