ଉଦ୍ଧାର ହେଲା ୪୦ ଲକ୍ଷର ଚୋରି ଜିନିଷ: ହଜିଲା ଜିନିଷ ଫେରି ପାଇଲେ ଲୋକେ

213

କନକ ବ୍ୟୁରୋ: ଲୋକେ ଫେରିପାଇଲେ ଚୋରି ମୋବାଇଲ । କମିଶନରେଟ ପୁଲିସର କ୍ୟାମ୍ପ ଅଫିସରେ ଆୟୋଜିତ ହୋଇଛି ମୋବାଇଲ ମେଳା । ଚୋରି ମୋବାଇଲକୁ ଠାବ କରି ପୁଲିସ କମିଶନର୍ ଅଭିଯୋଗକାରୀଙ୍କୁ ତାଙ୍କ ଜିନିଷ ହସ୍ତାନ୍ତର କରିଥିଲେ । ସବୁଠାରୁ ବଡ କଥା ହେଲା ପୁଲିସ ଘରୁ ଚୋରି ଯାଇଥିବା ମୋବାଇଲ ଓ ଟଙ୍କାକୁ ଫେରାଇଛି କମିଶନରେଟ ପୁଲିସ ।

କମିଶନରେଟ ପୁଲିସର କ୍ୟାମ୍ପ ଅଫିସରେ ଲାଗିଛି ମୋବାଇଲ ମେଳା । ଚୋରଙ୍କଠାରୁ ଜବତ ହୋଇଥିବା ଟଙ୍କା, ମୋବାଇଲ, ଆଉ ଚୋରି ଗାଡିକୁ ନେଇ ତିଆରି ହୋଇଥିଲା ଏହି ମେଳା । ଯେଉଁଥିରେ ଯୋଗ ଦେଇଥିଲେ ଶତାଧିକ ଜନ ସାଧାରଣ । ଲୋକମାନଙ୍କ ଠାରୁ ଚୋରି ହୋଇଥିବା ଜିନିଷକୁ ଠାବ କରି ପୁଲିସ କମିଶନର୍ ଅଭିଯୋଗକାରୀଙ୍କୁ ତାଙ୍କ ଜିନିଷ ହସ୍ତାନ୍ତର କରିଥିଲେ । ତେବେ କେବଳ ସାଧାରଣ ଲୋକ ନୁହଁନ୍ତି– ଜଣେ ସିଆଇଏସଏଫ ପୁଲିସ ଇନସପେକ୍ଟରଙ୍କ ଘରୁ କଳାକନା ବୁଲାଇଥିବା ଲୁଟେରାଙ୍କ ସନ୍ଧାନ ବି ପୁଲିସ ପାଇଥିଲା । ଆଉ ପୁଲିସ ଘରୁ ଚୋରି ଯାଇଥିବା ମୋବାଇଲ ଟଙ୍କା ବି ଫେରାଇଥିବା ନଜରକୁ ଆସିଥିଲା ।

ସେହିପରି ୧୪୧ ମୋବାଇଲ ଫୋନ, ମୋଟରସାଇକେଲ ଏବଂ ନଗଦ ଟଙ୍କା ବି ଲୋକମାନେ ଫେରି ପାଇଥିଲେ । ନିଜ ଚୋରୀ ଜିନିଷକୁ ଫେରି ପାଇବାର ଆଶା ଛାଡି ଦେଇଥିବା ଲୋକମାନେ ନିଜ ଜିନିଷ ପାଇ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା ।

ଲୋକଙ୍କୁ ମୋଟ ୪୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଫେରାଇଛି କମିଶନରେଟ ପୁଲିସ । ଏହାରି ଭିତରେ ରାଜଧାନୀରେ ଆପାର୍ଟମେଂଟ ଲୁଟେରାଙ୍କ ଆତଙ୍କ ଓ ସିନ୍ଧିଚୋରୀ, ଚୋରୀ , ରାହାଯାନୀକୁ ନେଇ ଲୋକଙ୍କ କ୍ଷୋଭ ମଧ୍ୟ ଦେଖିବାକୁ ମିଳିଥିଲା ।