ବୈପାରିଗୁଡ଼ା କୁପୁଲିଗୁଡ଼ା ଗାଁର ଆଦିବାସୀ ମହିଳାଙ୍କ ମହୁ ଚାଷ: ନିଜେ ସ୍ୱାବଲମ୍ବୀ ହେବା ସହ ବଜାରକୁ ଯୋଗାଉଛନ୍ତି ଶୁଦ୍ଧ ମହୁ

72

କନକ ବ୍ୟୁରୋ: ରୋଜଗାରର ମାଧ୍ୟମ ପାଲଟିଛି ମହୁ ଚାଷ । ନିଜେ ସ୍ୱାବଲମ୍ବୀ ହେବା ସହ ବଜାରକୁ ଯୋଗାଉଛନ୍ତି ଖାଂଟି ମହୁ । ସ୍ଥାନୀୟ ଅଂଚଳରେ ଏହି ଚାଷ ହେଉନଥିବାରୁ ବଜାରରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ମହୁର ଚାହିଦା ମଧ୍ୟ ବଢ଼ୁଛି । ଯାହାକୁ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କୁପୁଲିଗୁଡ଼ା ଗାଁର ମହିଳା ମାନେ । ଦିନେ ଏହି ମହିଳା ମାନେ ଜୀବନ ଜିଇବା ପାଇଁ ବାଟ ଖୋଜୁଥିଲେ । ପରିବାର ଚଳାଇବା ପାଇଁ ପରିବା ଚାଷକୁ ଆପଣାଇଥିଲେ । ହେଲେ ପନିପରିବା ଚାଷରୁ ଆଶାନୁରୁପକ ରୋଜଗାର ନହେବାରୁ ମହିଳା ମାନେ ମହୁ ଚାଷକୁ ଆପଣାଇଛନ୍ତି । ସ୍ୱୟଂ ସହାୟକ ଗ୍ରୁପ୍ ଗଠନ କରି ମହିଳା ମାନେ ଏକାଠି ହୋଇ ଏହି ଚାଷ କରୁଛନ୍ତି । ମିଶନ ଶକ୍ତି ସହଯୋଗରେ ମହିଳା ମାନଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ମିଳିଛି । ସ୍ଥାନୀୟ ଅଂଚଳରେ ପରିବେଶ ଏହି ଚାଷ ପାଇଁ ଅନୁକୂଳ ରହିଥିବାରୁ ଭଲ ମହୁ ଉତ୍ପାଦନ ହେଉଛି । ଏବେ ଏହି ମହୁ ଚାଷ ମହିଳା ମାନଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ।

ଗୋଷ୍ଠୀର ୧୦ ଜଣ ମହିଳା ଏହି ଚାଷ କାମରେ ନିୟୋଜିତ ହୋଇଛନ୍ତି । କିଏ ମହୁ ବାକ୍ସରୁ ମହୁ ସଂଗ୍ରହ କରୁଛନ୍ତି ତ ପୁଣି କିଏ ପ୍ୟାକେଜିଂ କରି ବିକ୍ରି ପାଇଁ ପଠାଉଛନ୍ତି । ଘର କାମରୁ ସମୟ ବାହାର କରି ମହିଳା ମାନେ ପ୍ରତିଦିନ ଏହି କାମ ପାଇଁ ସମୟ ଦେଉଛନ୍ତି । ମହୁ ବିକ୍ରି ପରେ ମିଳୁଥିବା ଟଙ୍କାକୁ ନିଜ ନିଜ ଭିତରେ ବାଂଟି ନେଉଛନ୍ତି । ମିଶନ ଶକ୍ତି ପକ୍ଷରୁ ମହିଳା ମାନଙ୍କୁ ଏହି ଚାଷ ପାଇଁ ପ୍ରଥମେ ୫ ଦିନିଆ ତାଲିମ ଦିଆଯାଇଥିଲା । ଏହାପରେ କୋରାପୁଟରୁ ୩୫ଟି ମହୁ ବାକ୍ସ ସହ ମହୁ ମାଛି ମଧ୍ୟ ମିଳିଥିଲା । ଚାଷ ପାଇଁ ସମସ୍ତ ଉପକରଣ ମିଳିବା ପରେ ମହିଳା ମାନେ ଏହି କାମକୁ ଆପଣାଇ ବେଶ ଲାଭବାନ ହେଉଛନ୍ତି । ଆଗକୁ ଏହାକୁ ଅଧିକ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଜିଲ୍ଲାରେ ଏହି ଚାଷ ଆଗରୁ ଅଳ୍ପ ବହୁତ ହେଉଥିଲେ ସୁଦ୍ଧା ମାଓ ଅଧ୍ୟୁଷିତ ଅଂଚଳ ରୂପେ ପରିଚିତ ଥିବା ବୈପାରିଗୁଡ଼ା ବ୍ଲକରେ ଏହା ପ୍ରଥମ । ଯାହା ଆଦିବାସୀ ମହିଳା ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି । ଅନ୍ୟ ମହିଳା ମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି ।