ପାଣି ସମସ୍ୟାକୁ ନେଇ ବିଜେଡି ପ୍ରାର୍ଥୀଙ୍କୁ ଘେରିଲେ ଗ୍ରାମବାସୀ: ପ୍ରଚାର ପାଇଁ ଆସିଥିବା ସୋରଡ଼ା ବିିଜେଡି ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁଙ୍କୁ ବିରୋଧ

61

କନକ ବ୍ୟୁରୋ: ଖରାଦିନେ ଗାଁରେ ମିଳୁନି ପାଣି । ଆଉ ଭୋଟବେଳେ ଏହାକୁ ପ୍ରସଙ୍ଗ କରିଛନ୍ତି ଗାଁ ଲୋକେ । ଏଭଳି ଖବର ଆସିଛି ଗଂଜାମ ସୋରଡା ନିର୍ବାଚନମଣ୍ଡଳୀରେ । ସୋରଡାର ଚାକୁଣ୍ଡା ଗାଁରେ ହାଣ୍ଡି, ମାଠିଆ ଓ ବାଲଟି ରଖି ରାସ୍ତାଅବୋଧ କରି ନେତାଙ୍କୁ ଗାଁକୁ ପୁରାଦେଇନାହାନ୍ତି ଲୋକେ ।

ମାଠିଆ ଓ ହାଣ୍ଡି ଧରି ସୋରଡା ବ୍ଲକ ଚାକୁଣ୍ଡା ଗାଁ ଲୋକଙ୍କ ପ୍ରତିବାଦ । ନିର୍ବାଚନ ଆସିଲେ ନେତାଙ୍କ ଗାଁରେ ପାଦ ପଡେ । ଆଉ ଭୋଟ ସରିଲେ ନେତା ଗାଁକୁ ଆସନ୍ତି ନାହିଁ । ସମସ୍ୟାକୁ ଭୁଲିଯାଆନ୍ତି ନେତା । ଏବେ ଭୋଟ ସମୟ ଆସିବା ପରେ ତାତିଛନ୍ତି ଗାଁ ଲୋକେ । ପାଣି ସମସ୍ୟାକୁ ନେଇ ପ୍ରତିବାଦ କରିଛି ଗାଁ ଲୋକେ । ଖାଲି ମାଠିଆ ଓ ହାଣ୍ଡିକୁ ଗାଁ ଦାଣ୍ଡରେ ରଖି ପ୍ରଚାର ପାଇଁ ଆସିଥିବା ସୋରଡାର ବିଜେଡି ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁଙ୍କ ରାଲିକୁ ବିରୋଧ କରିଛନ୍ତି ଲୋକେ ।

ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେଡ଼ି ନୂଆଁ ମୁହଁକୁ ଟିକେଟ ଦେଇଛି । ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ଚାକୁଣ୍ଡା ଗାଁରେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ଭତା ଓ ଘର ମିଳୁନଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରିଥିଲେ ଗାଁ ଲୋକେ । ପରେ କିଛି କର୍ମୀ ଆସି ମାଠିଆ ଓ ବାଲଟି ରାସ୍ତାରୁ ହଟାଇବା ପରେ ଯାଇ ସଂଘମିତ୍ରାଙ୍କ ରାଲି ଗାଁକୁ ଯାଇଥିଲା ।

ଗାଁକୁ ଗାଁ ବୁଲି ସଂଘମିତ୍ରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରଚାର କଲାବେଳେ ସେମାନଙ୍କୁ ବିରୋଧର ସମୁଖିନ ହେବାକୁ ପଡ଼ୁଛି । ଦୁଇଦିନ ତଳେ ସୋରଡ଼ା ନିର୍ବାଚନ ମଣ୍ଡଳିର ବେଲଗୁଠାଂ ବ୍ଳକ ଉଢ଼ୁରା ଗାଁ ଲୋକେ ବି ଗାଁ ସମସ୍ୟା ନେଇ ବିରୋଧ କରିଥିଲେ ।