୧୨ ବର୍ଷର ପୁଅର ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ବାପା । ପୁଅର ୨ଟି କିଡନୀ ଖରାପ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

141

କନକ ବ୍ୟୁରୋ: ୧୨ ବର୍ଷ ପୁଅ ରାକେଶଙ୍କ ୨ଟି ଯାକ କିଡନୀ ଖରାପ । ପୁଅର ଚିକିତ୍ସା କରାଇବା ପାଇଁ ଅର୍ଜୁନ ଦେବନାଥଙ୍କ ପାଖରେ ଅର୍ଥ ସାଜିଛି ବାଧକ । ପରିବାର ଚଳାଇବା କଷ୍ଟ ହେଉଥିବା ବେଳେ ପୁଅର ଚିକିତ୍ସା ପାଇଁ କେଉଁଠୁ ଅର୍ଥ ଆଣିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଅର୍ଜୁନ । ଗାଁ ଗାଁ ବୁଲି ପୁଅ ପାଇଁ ସାହାଯ୍ୟ ମାଗୁଥିଲେ ଚିକିତ୍ସା ପାଇଁ ସେହି ଟଙ୍କା ଯଥେଷ୍ଟ ନୁହଁ ।

କଅଁଳ ବୟସରେ ରୋଗ ସାଜିଛି ବଇରୀ । ଯେଉଁ ବୟସରେ ହସି, ଖେଳି ବୁଲି ନାଚିବା କଥା ସେ ବୟସରେ ମାଆ କୋଳ ଛାଡୁନି ୧୨ ବର୍ଷର ପୁଅ । ନାଁ ସ୍କୁଲ ଯାଉଛି, ନା ସାଙ୍ଗ ସାଥୀଙ୍କ ସହ ଖେଳିପାରୁଛି । ଘରେ ବସିବା ସହ ମାଆ କୋଳରେ ବିତୁଛି ଦିନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛେଲା ବିବି କଲୋନୀର ରହୁଥିବା ୧୨ ବର୍ଷ ପୁଅ ରାକେଶଙ୍କ ୨ଟି କିଡନୀ ଅଚଳ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ପୁଅର ଜୀବନ ବଞ୍ଚାଇବାକୁ ବାପା ଅର୍ଜୁନ ଗାଁ ଗାଁ ବୁଲି ଲୋକଙ୍କ ମାଗୁଛନ୍ତି ସାହାଯ୍ୟ । ଦିନ ଦିନ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଛି ହେଲେ ପରିବାର ପାଖରେ ଭଲ ଚିକିତ୍ସା ପାଇଁ ନାହିଁ ଅର୍ଥ । ପୁଅକୁ ଏଭଳି ଅବସ୍ଥାରେ ଦେଖି ବି ନିରୁପାୟ ହୋଇପଡ଼ିଛନ୍ତି ବାପା, ମାଆ ।

ପରିବାରରେ କହିଲେ ୪ପ୍ରାଣୀ । ଦୁଃଖ କଷ୍ଟେ ପରିବାର ଚଳୁଥିବା ବେଳେ ପୁଅର କିଡନୀ ରୋଗରେ ଭାଙ୍ଗିପଡ଼ିଛି ପରିବାର । ଘରଡିହ ଖଣ୍ଡକୁ ଛାଡ଼ିଲେ ଜମିବାଡ଼ି ଗୁଣ୍ଠେ ବି ନାହିଁ । ଏବେ ଅର୍ଜୁନ ଗାଁ ଗାଁ ବୁଲି ଫଳ ବେପାର କରି ନିଜ ପରିବାର ଚଳାନ୍ତି । ଫଳ ବେପାର କରି ପୁଅର କିଡନୀ ଚିକିତ୍ସା କରାଇବା ଅର୍ଜୁନଙ୍କ ପାଖରେ ସମ୍ଭବ ହେଉନି । ଦିନ ଗଡ଼ିବା ସହିତ ପୁଅ ଦେହ ଅସୁସ୍ଥ ହେବାରେ ଲାଗିଛି । ଏହି ଅବସ୍ଥାରେ ନିରୁପାୟ ହୋଇପଡ଼ୁଛନ୍ତି ଅର୍ଜୁନ । ପୁଅର ଚିକିତ୍ସା ପାଇଁ ସରକାରଙ୍କୁ ନେହୁରା ହେଉଛନ୍ତି ଅର୍ଜୁନ ତାଙ୍କ ପତ୍ନୀଙ୍କ ସହ ଗାଁ ଲୋକ ।

୬ ମାସ ବୟସରେ ଅର୍ଜୁନଙ୍କ ପୁଅର ହଠାତ ଦେହ ଖରାପ ହୋଇଥିଲା । ସେହି ସମୟରେ ଡାକ୍ତର କହିଥିଲେ କି ପୁଅର କିଡନୀ ସମସ୍ୟା ରହୁଛି । ଅର୍ଜୁନ ବାହାରେ ରହି କାମ କରି ଯାହା ପଇସା ପଠାନ୍ତି ସେଥିରେ ପୁଅ ରାକେଶର ଟ୍ରିଟମେଣ୍ଟ ହେବା ସହ ପରିବାର ଚଳୁଥିଲା । ହେଲେ କରୋନା ପାଇଁ ଘରକୁ ଆସିଯାଇଥିଲେ । ଏବେ ପୁଅର ଦେହ ବହୁତ ଖରାପ ହେଉଥିବା ବେଳେ ପାଖରେ ଚିକିତ୍ସା ପାଇଁ ନାହିଁ ଅର୍ଥ ।