ପୁଣି ଅଶାନ୍ତ ହେଲା ଢିଙ୍କିଆ, ପ୍ରକଳ୍ପ ବିରୋଧୀ ନେତାଙ୍କୁ ନିସ୍ତୁକ ମାଡ: ବଡ ବଡ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ହିଂସାକୁ ନେଇ ଉଠିଲା ପ୍ରଶ୍ନ 

85

କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଛି ଢିଙ୍କିଆ । ହାଇକୋର୍ଟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ହୋଇଥିଲା ଗଣ୍ଡଗୋଳ ଓ ମାରପିଟ୍ । ପ୍ରକଳ୍ପ ବିରୋଧୀ ନେତା ପ୍ରଦୀପ୍ତ ଶତପଥୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ପ୍ରକଳ୍ପ ସପକ୍ଷରେ ଥିବା ଗୋଷ୍ଠୀ । ଘଟଣା ସ୍ଥଳରେ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ, ତହସିଲଦାର ଉପସ୍ଥିତ ଥିଲେ, ସମସ୍ତଙ୍କ ସାମ୍ନାରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଢିଙ୍କିଆରେ ଶାନ୍ତି ଫେରି ଆସୁଥିବା ନେଇ ଯେଉଁ ଧାରଣା ସୃଷ୍ଟି ହେଉଥିଲା । ତାହା ଅମୂଳକ ବୋଲି ଜଣାପଡିଛି ।

ଜେଏସଡବ୍ଲୁ ପ୍ରକଳ୍ପ ବିରୋଧୀ ନେତା ପ୍ରଦୀପ୍ତ ଶତପଥୀଙ୍କୁ ମାଡ଼ । କିଏ ଗୋଇଠା ମାରୁଛି ତ କିଏ ବିଧା ମାରୁଛି, କିଏ ଧକ୍କା ଦେଉଛି । ହାଇକୋର୍ଟଙ୍କ ପ୍ରତିନିଧି ଦଳ, ପୁଲିସ ଓ ପ୍ରଶାସନିକ ଅଧିକାରୀ ସମସ୍ତେ ଅଛନ୍ତି, ହେଲେ ଅଣାୟତ ହୋଇପଡ଼ିଥିଲା ସ୍ଥିତି । ପ୍ରଦୀପ୍ତଙ୍କୁ ଆକ୍ରମଣରୁ ବଂଚାଇବା ପାଇଁ ଅଣନିଶ୍ୱାସୀ ହୋଇପଡିଥିଲା ପୁଲିସ । ଏହି ଆକ୍ରମଣରୁ ଛୋଟ ପିଲା ମଧ୍ୟ ବାଦ ପଡ଼ିନି । ଏହି ଦୃଶ୍ୟ ହିଁ ବୟାନ କରୁଛି, ଢିଙ୍କିଆରେ ଶାନ୍ତି ଫେରିନି । ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ଥିବା ବିବାଦ, ଯେମିତି ଥିଲା ସେମିତି ରହିଛି ।

ପୁଲିସର ଅତ୍ୟଧିକ ବଳ ପ୍ରୟୋଗ, ଜବରଦସ୍ତ ପାନବରଜ ଭାଙ୍ଗିବା ନେଇ ଅଭିଯୋଗ ହୋଇ ଆସୁଥିଲା । ପ୍ରକୃତରେ ସ୍ଥିତି କିପରି ରହିଛି ଏବଂ ଲୋକଙ୍କ ମତ କ’ଣ ରହିଛି, ଜାଣିବା ପାଇଁ ଢିଙ୍କିଆରେ ପହଁଚିଥିଲେ ହାଇକୋର୍ଟଙ୍କ ୫ ଜଣିଆ ପ୍ରତିନିଧି ଦଳ । ପ୍ରତିନିଧି ଦଳ ନିକଟରେ ଦାବି କରିବାକୁ ପହଁଚିଥିଲେ ପ୍ରକଳ୍ପ ବିରୋଧୀ ନେତା ପ୍ରଦୀପ୍ତ ଶତପଥୀ । ଆଉ ଏତିକି ବେଳେ ତାଙ୍କୁ ଆକ୍ରମଣ କରିଥିଲେ ପ୍ରତିପକ୍ଷ ଗୋଷ୍ଠୀ । ଚାହୁଁ ଚାହୁଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ଘଟଣା ସ୍ଥଳ । ପୁଲିସ, ପ୍ରଶାସନ, ଗ୍ରାମବାସୀ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ ।

ପ୍ରଶ୍ନ ଉଠୁଛି, ହାଇକୋର୍ଟଙ୍କ ପ୍ରତିନିଧି ଦଳ ଆସିବା ନେଇ ପ୍ରଶାସନ ପାଖରେ ଖବର ନଥିଲା କି? ଯଦି ଥିଲା, ତାହେଲେ ସୁରକ୍ଷା ବ୍ୟବସ୍ଥାକୁ କାହିଁକି କଡାକଡି କରାଯାଇନଥିଲା? ଉପୁଜିଥିବା ସ୍ଥିତି ପାଇଁ କିଏ ଦାୟୀ ରହିବ? ଗତମାସରେ ପାନବରଜ ଭଙ୍ଗାକୁ ନେଇ ଢିଙ୍କିଆରେ ଉତେଜନା ଦେଖାଦେଇଥିଲା । ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ କରିଥିଲା । ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।