ଗାଁ ଗାଁରେ ନିର୍ବାଚନକୁ ନେଇ ବଢୁଛି ତିକ୍ତତା: ସାରା ରାଜ୍ୟରୁ ଆସୁଛି ମାରପିଟର ଚିତ୍ର

86

କନକ ବ୍ୟୁରୋ: ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରୁଛନ୍ତି ଉଭୟ ଗୋଷ୍ଠୀ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗାବାଡି । ପଂଚାୟତ ନିର୍ବାଚନକୁ ନେଇ ବାଲେଶ୍ୱର ଜିଲ୍ଲା ସିଂଲା ପାଉଁଶକୁଲି ବଜାରରେ ମାରପିଟ ହୋଇଛନ୍ତି ଦୁଇ ସରପଂଚ ପ୍ରାର୍ଥୀଙ୍କ ସମର୍ଥକ । କେହି କାହାକୁ ଛାଡିବା ମୁଡରେ ନାହାନ୍ତି । ଦୁଇ ପ୍ରାର୍ଥୀ ସମର୍ଥକଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଏହା ବିସ୍ଫୋରକ ରୂପ ନେଇ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀର ସମର୍ଥକମାନେ ଲାଠି ଧରି ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସିଂଲା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଛି ।

ହାତରେ ଠେଙ୍ଗା ଧରି ଦଳ ଦଳ ହୋଇ ଗାଁ ଗଳିକନ୍ଦିରେ ପଇଁତରା ମାରୁଛନ୍ତି ଗାଁର ଯୁବକ । ନିର୍ଦ୍ଦିଷ୍ଟ ପ୍ରାର୍ଥୀକୁ ଭୋଟ ଦେବାକୁ ଠେଙ୍ଗା ଦେଖାଇ ଲୋକଙ୍କୁ ଧମକାଉଛନ୍ତି । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଗଁଦିଆ ବ୍ଲକ ନିହଲ ପ୍ରସାଦ ଗାଁର । ଯେଉଁଠି ଗତ ୧୬ ତାରିଖରେ ଭୋଟ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକ ଗଣ୍ଡଗୋଳ କରିଥିଲେ । ୪ଟି ବୁଥରେ ରିଗିଂ ଅଭିଯୋଗ ହୋଇଥିଲା । ପ୍ରିଜାଇଡିଂ ଅଫସିରଙ୍କୁ ଟେକାମାରି ମୁଣ୍ଡ ଫଟାଇ ଦେଇଥିଲେ, ଏପରିକି ଭୋଟ ବାକ୍ସକୁ କୁଅରେ ଫିଙ୍ଗିଦେଇଥିଲେ । ଏହି ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି, ଆଉ ବୁଥ ନଂ ୨,ବୁଥ ନଂ୬, ବୁଥ ନଂ ୭ ଓ ୧୧ ନଂ ବୁଥରେ ସାନିମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିବ ର୍ାଚନ ପୂବ ର୍ରୁ ଲୋକଙ୍କୁ ଡରେଇ ଧମକେଇ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ରାଜନୈତିକ ଦୁର୍ବୃତ ।

ନୂଆପଡ଼ା ଖଡ଼ିଆଳ ବ୍ଲକ ସୁନାସିରିକୁଆଁ ଗାଁରେ ରାଜନୈତିକ ହିଂସା ଅଭିଯୋଗ । ନିଖୋଜ ସରପଂଚ ପ୍ରାର୍ଥୀ ହାତଗୋଡ ବନ୍ଧା ହୋଇ ମୂମୁର୍ଷ ଅବସ୍ଥାରେ ଉଦ୍ଧାର । ସୁନାରିସିକୁଆଁ ପଂଚାୟତରେ ସରପଂଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଚୁଲମଣି ବୈଠା । ଗୁରୁବାରଠାରୁ ନିଖୋଜ ହୋଇଯାଇଥିବା ଚୂଲମଣିକୁ ଏକ ପୋଲ ନିକଟରେ ହାତଗୋଡ ବନ୍ଧା ଅବସ୍ଥାରେ ଦେଖିଥିଲେ ଗାଈ ଚରାଳିମାନେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଖଡିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଛି । ପ୍ରତିପକ୍ଷ ଗୋଷ୍ଠୀ ଚୂଲମଣିକୁ ଅପହରଣ କରି ନେଇ ଆକ୍ରମଣ କରିଥିବା ଅଭିଯୋଗ ହେଉଛି ।