ଚୂଡାନ୍ତ ଏନଆରସି ଲିଷ୍ଟରୁ ବାଦ୍ ପଡିଲେ ୧୯ ଲକ୍ଷ ନାଗରିକ। ପ୍ରଶ୍ନ ଉଠୁଛି ତାଲିକାରୁ ପଡିଥିବା ଲୋକେ କରିବେ କଣ?

ତାଲିକାରେ ରହିଛି ୩ କୋଟି ୧୧ ଲକ୍ଷ ୨୧ ହଜାରଙ୍କ ନାଁ

289

କନକ ବ୍ୟୁରୋ: ଆସାମରେ ପ୍ରକାଶ ପାଇଛି ଚୂଡାନ୍ତ ଏନଆରସି ତାଲିକା । ତାଲିକାରେ ସ୍ଥାନ ପାଇଛନ୍ତି ୩ କୋଟି ୧୧ ଲକ୍ଷ ୨୧ ହଜାର ଆଉ ବାଦ୍ ପଡିଛନ୍ତି ପ୍ରାୟ ୧୯ ଲକ୍ଷ ୬ ହଜାର ନାଗରିକ । ଏବେ ପ୍ରଶ୍ନ ଉଠୁଛି ଏନଆରସି ତାଲିକାରୁ ବାଦ୍ ପଡିଥିବା ଏହି ୧୯ ଲକ୍ଷ ଲୋକମାନେ ଏବେ କରିବେ କଣ । ସେ ନେଇ ଆସାମ ସରକାର ସୂଚନା ଦେଇଛନ୍ତି । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏନଆରସି ଆସାମ୍ ଡଟ୍ ଏନଆଇସି ଡଟ୍ ଇନ୍ ୱେଟ୍ ସାଇଟରେ ଏନଆରସିର ପୁରା ତାଲିକା ରହିଛି ।

ଆସାମର କୌଣସି ନାଗରିକ ଏହି ସାଇଟକୁ ଯାଇ ସେମାନଙ୍କ ନାମ ଯାଂଚ କରିପାରିବେ । ଏନଆରସି ତାଲିକାରୁ ବାଦ୍ ପଡିଥିବା ପ୍ରାୟ ୧୯ ଲକ୍ଷ ୬ ହଜାର ୬୬୭ ନାଗରିକଙ୍କୁ ସେମାନଙ୍କ ନାଗରିକତା ପ୍ରମାଣ ପତ୍ର ଦେବାକୁ ୧୨୦ ଦିନ ସମୟ ଦେଇଛନ୍ତି ଆସାମ ସରକାର । ଏହା ମଧ୍ୟରେ ସେମାନେ ଟ୍ରିବୁନାଲରେ ଅପିଲ୍ କରିପାରିବେ । ଏହାର ଶୁଣାଣି କରିବା ପାଇଁ ଆସାମ ସରକାର ରାଜ୍ୟରେ ବିଦେଶୀ ନ୍ୟାୟାଧୀଶଙ୍କୁ ନେଇ ୪୦୦ ଟି କୋର୍ଟ ସ୍ଥାପନ କରିବେ । ଯେପରିକି ଏନଆରସି ତାଲିକାରୁ ବାଦ୍ ପଡିଥିବା ବିଦେଶୀ ନାଗରିକଙ୍କୁ ଠିକ୍ ଭାବେ ନ୍ୟାୟ ମିଳିପାରିବ । ଏନଆରସି ମାମଲାର ସମାଧାନ ପାଇଁ ଆସାମ ସରକାର ଆଗରୁ ୨୦୦ଟି ଏପରି କୋର୍ଟ ସ୍ଥାପନ କରିଛନ୍ତି ।

ବାକି ୨୦୦ କୋର୍ଟ ସ୍ଥାପନ ହେବ । ୨୦୧୮ ଜୁନ୍ ୩୦ ତାରିଖରେ ଆସାମ ସରକାର ଦ୍ୱିତୀୟ ଏନଆରସି ଡ୍ରାଫ୍ଟ ଯେତେବେଳେ ପ୍ରକାଶ କରିଥିଲେ ସେତେବେଳେ ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍ ପଡିଥିଲେ । ଏବେ ଚୂଡାନ୍ତ ଏନଆରସି ତାଲିକା ଆସିବା ପରେ ଏହି ସଂଖ୍ୟା ୧୯ ଲକ୍ଷ ୬ ହଜାର ୬୬୭କୁ ଖସି ଆସିଛି । ନାସନାଲ୍ ରେଜିଷ୍ଟ୍ରାର ଅଫ୍ ସିଟିଜେନ୍ ହେଉଛି ଦେଶର ସବୁଠାରୁ ବଡ ନାଗରିକତା ଚିହ୍ନଟ ଯୋଜନା । ଏହା ଜରିଆରେ ଦେଶ ମଧ୍ୟରେ ବେଆଇନ୍ ଭାବେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ଏନଆରସି ତାଲିକା ଜାରି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆସାମ ସରକାର ।